ଅନୁଗୁଳ: ପାଦେ ଆଗେଇଛି ନାଲକୋ ବ୍ରାଉନ ଫିଲଡ ସମ୍ପ୍ରସାରଣ ପ୍ରକଳ୍ପ। ବହୁ ବାଦବିବାଦ ପରେ ଜମି ସର୍ଭେ ପାଇଁ ରାଜି ହୋଇଛନ୍ତି ଗୋପୀନାଥପୁର ମୌଜାର କିଛି ଗ୍ରାମବାସୀ। ଏନେଇ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି। ଏପଟେ କିଛି ପରିମାଣ ଲୋକେ ଏହାକୁ ବିରୋଧ କରୁଥିବା ବେଳେ ଚକବନ୍ଦୀ ମଧ୍ୟରେ ଏଠାକାର ଜମି ଗୁଡ଼ିକ ରହିଛି। ସର୍ଭେ ସମୟରେ ଦଖଲକାରୀ ପ୍ରଜା ଏବଂ ପଟ୍ଟାଧାରୀ ପ୍ରଜାଙ୍କ ମଧ୍ୟରେ ବାଦବିବାଦ ଉପୁଜିବା ନେଇ ଆଗରୁ ଅନେକ ଥର ଏନେଇ ଆଲୋଚନା ମଧ୍ୟ ହୋଇଥିଲା। ସବୁରି ମଧ୍ୟରେ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଣିଥରେ ସର୍ଭେ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଲୋକେ ଏହାକୁ କେତେ ଗ୍ରହଣ କରୁଛନ୍ତି ତାହା ଆଜି ହିଁ ଜଣାପଡ଼ିବ।
ପ୍ରକାଶ ଯେ ଗୋପୀନାଥପୁର ମୌଜାର କିଛି ଲୋକ ସର୍ଭେ କରାଇବା ପାଇଁ ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇଛନ୍ତି। ଏପଟେ ବାରମ୍ବାର ଜମି ଅଧିଗ୍ରହଣକୁ କୁଲାଡ଼, ଗୋପୀନାଥପୁର ଓ ବେନ୍ତପୁର ଗାଁର ଲୋକେ ବିରୋଧ କରି ଆସୁଥିବା ବେଳେ ପ୍ରଶାସନ ଏବେ ଜମି ଅଧିଗ୍ରହଣ ପାଇଁ ପୁଣି ଅଣ୍ଟା ଭିଡିଥିବା ବେଳେ ଆଜି ସର୍ଭେ ନେଇ କାର୍ଯ୍ୟ କେତେ ଆଗଉଛି ତାହା ସ୍ପଷ୍ଟ ହେବ।