ଜାତୀୟ ହ୍ୟାଣ୍ଡଲୁମ ଦିବସ: ଅନୁଗୁଳରେ ବେପାର ବଢ଼ିଛି ବୁଣାକାରଙ୍କୁ ଅଣଦେଖା

You are currently viewing ଜାତୀୟ ହ୍ୟାଣ୍ଡଲୁମ ଦିବସ: ଅନୁଗୁଳରେ ବେପାର ବଢ଼ିଛି ବୁଣାକାରଙ୍କୁ ଅଣଦେଖା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଭିତରେ ହାତବୁଣା ଲୁଗା ଓ ପୋଷାକର କାରବାର ବଢ଼ିଥିବା ବେଳେ ଅନୁଗୁଳର ବୁଣାକାର ମାନଙ୍କୁ ଅଣଦେଖା କରାଯାଉଛି।

ଜିଲ୍ଲାରେ ଓଡ଼ିଶୀ, ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଆଦି ସଂସ୍ଥା ମାନେ ବୁଣାକାରଙ୍କ ଠାରୁ ଜିନିଷ କିଣି ଗ୍ରାହକଙ୍କୁ ବିକୁଛନ୍ତି। ପୂଜା ପର୍ବ ପର୍ବାଣୀ ସମୟରେ ରିହାତି ସୁଯୋଗ ଦିଆଯାଇ କାରବାର ବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି। ସରକାର କାର୍ଯ୍ୟାଳୟ କର୍ମଚାରୀ ମାନଙ୍କୁ ଗଣବେଶରେ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ପ୍ରବର୍ତାଉଛନ୍ତି।

ଏହାଦ୍ବାରା ମଧ୍ୟ କାରବାର କେତେକାଂଶରେ ବଢୁଛି। ତେବେ ଦର ଅଧିକା ହେତୁ ସମାଜର ଏକ ବୃହତ୍ତର ଅଂଶ ବିଶେଷ କରି ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ପରିବାରର ଲୋକ ମାନେ ଖଦୀ ପୋଷାକ ଅବା ସମ୍ବଲପୁରୀ ଶାଢ଼ୀ କିଣିବାକୁ ସକ୍ଷମ ହେଉନାହାନ୍ତି। ଏଥିନେଇ ଜଣେ ବରିଷ୍ଠ ବ୍ୟବସାୟୀ ପ୍ରକାଶ କୁମାର ସ୍ବାଇଁ କହିଛନ୍ତି ଯେ, ଅନୁଗୁଳରେ ସମ୍ବଲପୁରୀ ଶାଢ଼ୀ, ବରଗଡ଼, ସୋନପୁର, ବ୍ରହ୍ମପୁର ମାଣିଆବନ୍ଧ ଶାଢ଼ୀ, ପାଟ ଆଦିର ଚାହିଦା ରହିଛି। ବେଡସିଟ୍, ଲୁଙ୍ଗି, ଗାମୁଛାର ମଧ୍ୟ କାରବାର ବଢ଼ିଛି। ତେବେ ଅନୁଗୁଳର ବୁଣାକାର ମାନଙ୍କୁ ଯେଭଳି ସୁବିଧା ସୁଯୋଗ ମିଳିବା କଥା ତାହା ମିଳୁନାହିଁ।

ଅନେକେ କୌଳିକ ବୃତ୍ତି ଛାଡ଼ିଦେଲେଣି।ଆଠମଲ୍ଲିକ, ଛେଣ୍ଡିପଦା ଅଞ୍ଚଳରେ ବୁଣାକାର ଥିଲେ,ଏବେ ସେମାନଙ୍କ ସ୍ଥିତି ଜାଣିବା ବଡ ମୁସ୍କିଲ। ଏହାଛଡା ସୂତା, ରଙ୍ଗ ଉପରେ ଜିଏଷ୍ଟି ମାଡ଼ ଯୋଗୁଁ ହାତବୁଣା ଶାଢ଼ୀ ଓ ପୋଷାକର ଦର ବଢୁଛି। ଏହାଦ୍ବାରା କାରବାର ମଧ୍ୟ ବାଧାପ୍ରାପ୍ତ ହେଉଛି।ଅନୁଗୁଳ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବୁଣାକାର ମାନଙ୍କୁ ଋଣ ସୁବିଧା ଠାରୁ ସବ୍ସିଡି ଦରରେ ସୂତା, ରଙ୍ଗ ଯୋଗାଇଦେବା ସହ ଭିତ୍ତିଭୂମିର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ ବୟନ ଶିଳ୍ପରେ ଜିଲ୍ଲାର ପୂର୍ବ ଗୌରବ ପୁଣି ଫେରି ଆସିବ ।

Share

Leave a Reply