ଅନୁଗୁଳ: ପ୍ରତିବର୍ଷ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତା ହୁଏ କଟକ କିମ୍ବା ଭୁବନେଶ୍ୱରରେ। ସବୁ ଜିଲ୍ଲା. ସେଥିରେ ଅଂଶଗ୍ରହଣ କରିଥାନ୍ତି ୯ ଶହରୁ ଉର୍ଦ୍ଧ୍ବ ଖେଳାଳୀ ଅଂଶ ଗ୍ରହଣ କରନ୍ତି ଆଉ ଶତାଧିକ ଖେଳାଳୀ ପୁରସ୍କାର ମଧ୍ୟ ନିଅନ୍ତି। ଫଳାଫଳ ତାଲିକା ଖୋଜିଲେ କୋଉ ବର୍ଷ ଜଣେ ଅଧେ ଅନୁଗୁଳର ପିଲା ପୁରସ୍କାର ପାଆନ୍ତି ନଚେତ୍ କୋଉ ବର୍ଷ ହାତ ଖାଲି ଥାଏ।
କଟକ,ଭୁବନେଶ୍ୱର,ଗଞ୍ଜାମ,ରାଉରକେଲା,ସମ୍ବଲପୁର,ସୁନ୍ଦରଗଡ,ଖୋର୍ଦ୍ଧା,ଓଡ଼ିଶା ପୋଲିସ ଆଦିର ଖେଳାଳୀ ମାନେ ପଦକ ତାଲିକାରେ ଆଗରେ ରହନ୍ତି।ଏହି ଟ୍ରେଣ୍ଡ ଗତ ପ୍ରାୟ ଦଶ ବର୍ଷ ଧରି ଚାଲି ଆସିଚି। ଆମ ଜିଲ୍ଲାରେ ମାଳ ମାଳ ଶିଳ୍ପ,ପଇସାର ଅଭାବ ନାହିଁ କିନ୍ତୁ ଖେଳ ନାହିଁ,ଭିତ୍ତି ଭୂମି ନାହିଁ।ଖେଳ ପ୍ରଶାସନ ନିଦା ବିଷ୍ଣୁ ।
ଅନୁଗୁଳ ଷ୍ଟାଡିୟମ୍ ର ନିର୍ମାଣ ସରୁ ନାହିଁ।ତିନି ଚାରି ବର୍ଷ ହେଲା ତା ଭିତରେ କଣ ଚାଲିଛି କେହି ଜାଣନ୍ତି ନାହିଁ। ସହର ଭିତରେ ଖେଳିବା ପାଇଁ ପଡିଆ ନାହିଁ।ହାଇସ୍କୁଲ ପଡିଆ,ବିଜୁ ମଇଦାନରେ ଖେଳ କମ ବେପାର ବଣିଜ ବେଶୀ ଚାଲିଛି।ଅବିନାଶ ମହାନ୍ତି,ଦୁର୍ଗା ଚରଣ କିସ୍କୁ,ପ୍ରିୟବ୍ରତ ପ୍ରଧାନ,ସ୍ଵାଧୀନ ମାଝୀ ଙ୍କ ଭଳି ଖେଳାଳୀ ନିଜସ୍ଵ ଉଦ୍ୟମ ରେ ଆଗକୁ ବଢ଼ୁଚନ୍ତି କିମ୍ବା ଘରୋଇ କ୍ରୀଡା ଏକାଡେମୀରେ ରହି ତାଲିମ ନେଉଛନ୍ତି। ଅନୁଗୁଳର ୱାକିଙ୍ଗ ଗୁରୁ ନୀଳମଣି ଦାସ ଜିନ୍ଦଲରେ ଚାକିରି କରୁଥିବା ବେଳେ ମାଗଣା ତାଲିମ ଦେଇ ବହୁ ଆଥଲେଟ ବାହାର କରିଥିଲେ।କିନ୍ତୁ ସେ ଅବସର ପରେ ନିଜ କାମରେ ବ୍ୟସ୍ତ ଅଛନ୍ତି।ତାଙ୍କୁ ସହାୟତା କରିବାକୁ କେହି ନାହିଁ।ତେଣୁ ଗତ ଦୁଇ ବର୍ଷ ହେବ ୱାକିଂ ରେ ମଧ୍ୟ ଭଲ ପିଲା ଆଉ ନାହାନ୍ତି।
ଉପଖଣ୍ଡ କ୍ରୀଡା ସଂସଦ ର ନିର୍ବାଚନ ହୋଇପାରୁନାହିଁ। ଜିଲ୍ଲା କ୍ରୀଡା ସଂସଦ ଓ କ୍ରୀଡା ପ୍ରଶାସନ ମଧ୍ୟରେ ଏକ ପ୍ରକାର କଟି ପଡ଼ିଛି। ଖେଳ ପାଇଁ ସମସ୍ତଙ୍କ ଆଖିରେ କେବଳ କୁମ୍ଭୀର କାନ୍ଦଣା। ଜିଲ୍ଲାରେ ତେଣୁ ଖେଳ ଭିତ୍ତି ଭୂମି ଏକ ପ୍ରକାର ଭୁଶୁଡ଼ି ପଡ଼ିଛି। ଜିଲ୍ଲା ସ୍କୁଲ କ୍ରୀଡା ଅଧିକାରୀ ପଦ ଖାଲି ପଡ଼ିଛି ସେଠି କାହାକୁ ନିଯୁକ୍ତି ଦିଆଯାଉନାହିଁ। ରାଜନୀତିର ପଶାପାଲିରେ କାହାକୁ ଦିଆଯିବ ତାହା ଚାପି ହୋଇଯାଇଛି।ତେଣୁ ଗତ ଦୁଇ ବର୍ଷ ଧରି ସ୍କୁଲ କ୍ରୀଡାରେ ମଧ୍ୟ ଅନୁଗୁଳ ଜିଲ୍ଲା ର ଫଳାଫଳ ବହୁ ନିରାଶାଜନକ।ଜିଲ୍ଲାପାଳ ଯଦି ଏସବୁ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ଦିନରେ ଜିଲ୍ଲା କ୍ରୀଡାର ପତନ ସୁନିଶ୍ଚିତ ।


