ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳକୁ ଦିନିକିଆ ଗସ୍ତ କରି ସରକାରଙ୍କ ବହୁ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି. ବୃନ୍ଦା।
ନିର୍ଦ୍ଦେଶିକା ପ୍ରଥମେ ନିଶା ପଞ୍ଚାୟତର ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ। ପରେ କଙ୍କରେଇ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ୫ଟି ଯୋଜନାରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ ରୁମ ଦେଖିବା ସହ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ସେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମିଲଟ ମିଶନରେ ମହିଳା ସ୍ୱୟଂ ସହାୟକ ପାଇଥିବା ମାଣ୍ଡିଆ ଅମଳ ମେସିନ, ଫୁଲଝରୀ ସାପ୍ତାହିକ ହାଟର ଉନ୍ନତିକରଣ, କୁକୁରପେଟା ତେଲି ସାହିରେ ଉଦ୍ୟାନ ବିଭାଗ ପକ୍ଷରୁ ହୋଇଥିବା ଫଳ ବୃକ୍ଷ ଚାଷ, ଜୀବିକା ମିଶନ ପକ୍ଷରୁ ହୋଇଥିବା ପଲ୍ଲୀ ନର୍ସରୀ, ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ନିକଟରେ ଥିବା ନରେନ୍ଦ୍ର ପୁଷ୍କରିଣୀର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଥିଲେ।
ପରେ ନିର୍ଦ୍ଦେଶିକା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ଵାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଦେଖିବା ସହ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ୟା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଡକ୍ଟର ବୃନ୍ଦା ପାତ୍ରପଡା ଗ୍ରାମ ଦେବୀ ନଗର ପାହାଡ଼ ପାର୍ଶ୍ଵରେ ଥିବା ବାୟାଣୀ ପୀଠକୁ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।
ଅପରାହ୍ନରେ ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ହୋଇଥିବା ଝୁଲା ପୋଲ ବୁଲି ଦେଖିଥିଲେ। ପରେ ଏସବୁ ପ୍ରକଳ୍ପ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବା ପାଇଁ କହିଥିଲେ।
ଏ ଅବସରରେ ନିର୍ଦ୍ଦେଶିକାଙ୍କ ସହ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାନାମ୍ବର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ, ବ୍ଲକ୍ ଜୀବିକା ମିଶନ, ସମନ୍ୱିତ ଶିଶୁ ବିକାଶ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ଜଳ ବିଭାଜିକା ବିଭାଗ, ଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଅଧିକାରୀ ମାନେ ସାମିଲ୍ ହେଇଥିଲେ।