ଅନୁଗୁଳ: ଆଜି ସ୍ଥାନୀୟ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୪ ଆୟୋଜିତ ହୋଇଯାଇଛି।
ଏହି ଭବ୍ୟ ସମାରୋହକୁ ଖମାର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ଼ା ଅକ୍ଷୟ କୁମାର ପଣ୍ଡା,ଅନୁଗୁଳ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କମିଟିର ସଭାପତି ନିଳାଞ୍ଚଳ ପଟେଲ, ନବକୃଷ୍ଣ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କମିଟିର ଉପସଭାପତି ଡ଼ା ଦ୍ରୌପଦୀ ପଟେଲ,ସମ୍ପାଦକ ଡ଼ା ମୋହନ ସୁନ୍ଦର ମେହେର,କମିଟିର ସହ ସଂଯୋଜକ ଡ଼ା ସତ୍ୟ ନାରାୟଣ ଠାକୁରଙ୍କ ସମେତ ହେମକାନ୍ତ ସାହୁ ଏବଂ ରାଜେଶ କୁମାର ମେହେର ପ୍ରମୁଖ ଉଦଘାଟନ କରିଥିଲେ।
ଡ଼ା ଅକ୍ଷୟ କୁମାର ପଣ୍ଡା ନିଜ ଅଭିଭାଷଣରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମନଛୁଆଁ ଭାବ ଓ ସାଂସ୍କୃତିକ ଗୁରୁତ୍ବ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ଏବଂ ଡ଼ା ଦ୍ରୌପଦୀ ପଟେଲ କହିଥିଲେ କି ଯେଉଁ ଜାତିର ସଂସ୍କୃତି ଯେତେ ମହାନ୍ ସେ ଜାତି ସେତେ ମହାନ୍ ଓ ସମୃଦ୍ଧ। ଓଡ଼ିଶାର ସାଂସ୍କୃତିକ ଆକାଶରେ ନୂଆଖାଇ ଭଳି ଗଣ ମହୋତ୍ସବ କେବଳ ଭାଇଚାରା ସୃଷ୍ଟି କରେନାହିଁ ସବୁ ଓଡ଼ିଆଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଥାଏ।
ସମ୍ବଲପୁରୀ ଭାଷା,ସଙ୍ଗୀତ,ନୃତ୍ୟ ଏବଂ ନୂଆଖାଇ ଭଳି ଫସଲ ଅମଳର ପର୍ବ ଯଥେଷ୍ଟ ଗୁରୁତ୍ଵ ରହିଛି ଏବଂ ଅନୁଗୁଳରେ ବିଳମ୍ବରେ ହେଲେ ମଧ୍ୟ ଏହି ଉତ୍ସବ ପାଳନ କରାଯାଉଥିବାରୁ ଉଦ୍ୟୋକ୍ତା ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ସକାଳେ ମା ବୁଢ଼ୀ ଠାକୁରାଣୀ ଓ ସମଲେଶ୍ଵରୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ନବାନ୍ନ ଅର୍ପଣ କରାଯାଇଥିଲା। ସମାରୋହରେ ସମ୍ବଲପୁରରୁ ଆସିଥିବା ଜୁହାର ପରିବାର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସ୍ଥାନିୟ ଶିଶୁ ଓ କିଶୋର କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।ସମାରୋହ ପରିଚାଳନାରେ ନରେନ୍ଦ୍ର କୁମାର ପ୍ରଧାନ ଓ ଅନିଲ କୁମାର୍ ପ୍ରଧାନପ୍ରମୁଖ ସହାୟତା କରିଥିଲେ।