ଅନୁଗୁଳ: ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ପତ୍ନୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ବାସସ୍ଥାନ ବାପି ନୁମା କୁଟୀର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ନେଇ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ଉଠାଇବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦୁଇ ବର୍ଷ ତଳେ ରାଜସ୍ୱ ବିଭାଗ ପକ୍ଷରୁ କୁଟୀର ଉପରେ କଳା ଜରି ଖଣ୍ଡେ ଢାଙ୍କି ଦିଆଯାଇଥିଲା।ଘଟଣା ନେଇ ଗାନ୍ଧୀ ପ୍ରେମୀ ଓ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଉଦବେଗ ପ୍ରକାଶ କରିଥିଲେ। ଶେଷରେ
ଗତ ୧୨ ତାରିଖରେ ମାଳତୀ ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟର ମିଟିଂ କଟକ ଠାରେ ବସିଥିଲା। ସଭାପତି ଡା ତପନ କୁମାର ମହାନ୍ତି,ଉପସଭାପତି ପ୍ରହ୍ଲାଦ ସିଂହ ଏବଂ ସମ୍ପାଦକ ଶିବରାମ ମିଶ୍ରଙ୍କ ତତ୍ୱାବଧାନରେ ବସିଥିବା ଏହି ବୈଠକରେ କୁଟୀରର ମରାମତି କାମ ଟ୍ରଷ୍ଟ କରିବ ବୋଲି ନିଷ୍ପତ୍ତି ହେବା ପରେ ଆଜି କୁଟୀରର ନୂଆ ଛପର କାମ ଆରମ୍ଭ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାପି ନୁମା କୁଟୀରରେ ଅନେକ ବିରଳ ଫଟୋଚିତ୍ର ସହିତ ସେ ଦୁହେଁ ବ୍ୟବହାର କରୁଥିବା ଅନେକ ଆସବାବପତ୍ର ରହିଛି ଯାହାକୁ ଦେଖି ଦର୍ଶକମାନେ ବିହ୍ଵଳିତ ହୁଅନ୍ତି। ପାଠକ ମାନକ ପାଇଁ ଏକଥା ମଧ୍ୟ ସୁଚାଇଦେବାକୁ ଚାହୁଁ ଯେ ୧୯୮୯ରେ ପ୍ରତିଷ୍ଠିତ ଏହି ଟ୍ରଷ୍ଟକୁ ମାଳତୀ ଦେବୀ ସେତେବେଳେ ଯମୁନା ଲାଲ ବଜାଜ ପୁରସ୍କାର ବାବଦକୁ ମିଳିଥିବା ଲକ୍ଷାଧିକ ଟଙ୍କା ଦାନ କରି ଦେଇଥିଲେ। ଉତ୍କଳ ନବ ଜୀବନ ମଣ୍ଡଳର କର୍ମକର୍ତାଙ୍କ ତତ୍ୱାବଧାନରେ ଘର ଛପର କାମ ଚାଲୁ ରହିଛି। ଆସନ୍ତା ତିନି ଦିନ ମଧ୍ୟରେ ବାପି ନୁମା କୁଟୀରର ମରାମତି କାମ ସମ୍ପୂର୍ଣ ହେବ ବୋଲି ପ୍ରକାଶ କରିଛନ୍ତି ଟ୍ରଷ୍ଟ ର ସମ୍ପାଦକ ଶିବରାମ ମିଶ୍ର ।
ନୁମା ବାପି କୁଟୀର ଛପର କଲା ଏମଏନ ଟ୍ରଷ୍ଟ
