ଓଡ଼ିଆ ନାମଫଳକ ଅଭିଯାନ: ଅନୁଗୁଳରେ ପ୍ରଶାସନ ପକ୍ଷରୁ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭ

You are currently viewing ଓଡ଼ିଆ ନାମଫଳକ ଅଭିଯାନ: ଅନୁଗୁଳରେ ପ୍ରଶାସନ ପକ୍ଷରୁ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ଅବସରରେ ଏକ ବ୍ୟାପକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୬ ଅନୁଯାୟୀ, ଜିଲ୍ଲାର ସମସ୍ତ ଦୋକାନ, ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ପଦଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହରର ପ୍ରମୁଖ ସ୍ଥାନ ଯଥା ଜେଲ୍ ରୋଡ୍, ସେଣ୍ଟ୍ରାଲ ଲଜ୍, ବଜାର ଛକ, ସୂଚନାକେନ୍ଦ୍ର ଛକ ଓ ଥାନା ଛକ ଦେଇ ପରିକ୍ରମା କରିବା ପରେ ଅନୁଗୁଳ ପୌରପାଳିକା କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା। ଏହି ପରିକ୍ରମା ସମୟରେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କୁ ଭେଟି ସଚେତନତା ପାଇଁ ପ୍ରଚାର ପତ୍ରିକା ବଣ୍ଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଉପସ୍ଥିତ ଥିଲେ।

Share

Leave a Reply