ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୁଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ଓ ଢେଙ୍କାନାଳର ବଜ୍ରନାଥ ବଡ଼ଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଏଥିସହ ବରଗଡ଼ର ରଣାପ୍ରତାପ ହାଇସ୍କୁଲ ପାଇଁ ୫୪.୧୦ ଲକ୍ଷ, ଢେଙ୍କାନାଳ ଭୁବନ ବ୍ଲକର ପଞ୍ଚାୟତରାଜ ସରକାରୀ ହାଇସ୍କୁଲ ପାଇଁ ୧ କୋଟି, ଗଜପତି ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲଟି ହାଇସ୍କୁଲ ପାଇଁ ୭୦ ଲକ୍ଷ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠ ବ୍ଲକର ଜି.ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୫ ଲକ୍ଷ, ଜଗତସିଂହପୁର ଜିଲ୍ଲା ନୂଆଗାଁ ବ୍ଲକର ଅଲନାହାଟ ହାଇସ୍କୁଲ ପାଇଁ ୭୬ ଲକ୍ଷ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପାଇଁ ୮୩.୮୦ ଲକ୍ଷ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସରକାରୀ ବାଳିକା ହାଇସ୍କୁଲ ପାଇଁ ୫୫.୯୫ ଲକ୍ଷ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍-୨ ସରକାରୀ ହାଇସ୍କୁଲକୁ ୮୩.୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ସେହିଭଳି ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ସ୍ଥିତି କାକିରିଗୁମା ହାଇସ୍କୁଲକୁ ୫୭ ଲକ୍ଷ, ମୟୂରଭଞ୍ଜ ଜିଲ୍ଲା ଉପରବେଢ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୧୦ ଲକ୍ଷ ଓ ବାଙ୍ଗିରିପୋଷୀ ସ୍ଥିତ ଭୂଆସୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୫ ଲକ୍ଷ, ରାୟଗଡ଼ା ଜିଲ୍ଲା ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲ ପାଇଁ ୫୬.୮୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।