ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କର ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି।
ଏଣୁ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାରେ କାର୍ଯ୍ୟରତ ଅମଲା ସଙ୍ଘର ସମସ୍ତ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏନେଇ ଜିଲ୍ଲା ସଭାପତି ରଜନୀକାନ୍ତ ପ୍ରଧାନ, ଦେବେଶ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ୨୧ ସାଂସଦ ଏବଂ ୧୪୭ ବିଧାୟକଙ୍କୁ ଦାବି ଗୁଡ଼ିକ ବିଷୟରେ ଅବଗତ କରାଇବାକୁ ଓଡ଼ିଶା ରାଜସ୍ଵ ଅମଲା ସଂଘ ନିଷ୍ପତ୍ତି ନେଇଛି। ଏଣୁ ଓଡ଼ିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ସଭାପତି ରଜନୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତ ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଓ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।