ନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

You are currently viewing ନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

ଅନୁଗୁଳ: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ। ସଂପୃକ୍ତ ୬ ଜିଲ୍ଲା ଲାଗି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ସୂଚନା ଆଧାରରେ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି।
ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଶୀତ ଯୋଗୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି ତ କିଏ ଶୀତ ଛଡ଼ାଇବା ପାଇଁ ଖେଳକୁଦରେ ବ୍ୟସ୍ତ ରହୁଛନ୍ତି।କିଛି ସ୍ଥାନରେ କୁହୁଡ଼ି ଯୋଗୁ ମଧ୍ୟ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେବେ ରାଜ୍ୟରେ ଶୀତ ପ୍ରକୋପ ଗୋଟିଏପଟେ ବଢୁଥିବାରୁ ସକାଳୁ ସକାଳୁ ଚା’ ଦୋକାନରେ ପ୍ରବଳ ଭିଡ ଜମିବାରେ ଲାଗିଛି।

Share

Leave a Reply