ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଫୋନ୍ ପେ ସର୍ଭିସ ଦେବା ନାଁରେ ଠକେଇ କରିଥିବା ଜଣେ ଯୁବକଙ୍କୁ ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ସୁରେଶ ପ୍ରସାଦ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ପେ ଏକାଉଣ୍ଟରେ କିଛି ତ୍ରୁଟି ଥିବାରୁ ସେ ଫେନ୍ ପେ ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍ କରିଥିଲେ। ଏହାପରେ ଫୋନ୍ ପେ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ କହି ଏକ ଫୋନ୍ କଲ୍ ଆସିଥିଲା। ଏହାପରେ ସେହି ବ୍ୟକ୍ତି ସୁରେଶଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ କେତେକ କାଗଜପତ୍ର ପଠାଇଥିଲେ। ଏହାପରେ ସୁରେଶଙ୍କଠାରୁ ତାଙ୍କ ଫୋନ୍ ପ ରେ ସମସ୍ତ ତତ୍ୟ ନେଇ ଯାଇଥିଲେ। ଏହାପରେ ତାଙ୍କ ଏକାଉଣ୍ଟରୁ ୨୯ ହଜାର ୯ ଶହ ଟଙ୍କା ଗାଏବ ହୋଇଯାଇଥିଲା। ଏ ନେଇ ସୁରେଶ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରିଥିଲା। ଫୋନ୍ କଲ ଆସିଥିବା ଫୋନ୍ କୁ ଟ୍ରାକ୍ କରି ପୁଲିସ ଜାଣିବାକୁ ପାଇଲା ଯେ, ଏହି ଫୋନ୍ ଟି ଝାଡ଼ଖଣ୍ଡ ଦେଓଘରରେ ଅଛି। ଏହାର ଅଧିକ ତଦନ୍ତକରି ପୁଲିସ ଠକର ନାଁ ତୁଳସୀ ଦାସ ବୋଲି ଜାଣିପାରି ତାଙ୍କର ଏକାଉଣ୍ଟ ସମ୍ପର୍କରେ ସୂଚନା ହସ୍ତଗତ କରିଥିଲା। ଏହାପରେ ବଅଁରପାଳ ଥାନାର ଏକ ଟିମ୍ ପ୍ରୋବେଶନ୍ ଆଇପିଏସ୍ ରୋହିତ ବର୍ମାଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ଯାଇ ଠକକୁ ଗିରଫ କରି ତାଠାରୁ ୬ଟି ମୋବାଇଲ ଫୋନ୍, ୭ଟି ବ୍ୟାଙ୍କ ପାସବୁକ୍, ପ୍ୟାନ୍ କାର୍ଡ, ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତକରିଛି। ଅଭିଯୁକ୍ତ ତୁଳସୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।
ଫୋନ୍ପେ ନାଁରେ ୨୯ ହଜାର ଟଙ୍କା ଠକେଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Post published:June 24, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
