ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବଅଁରପାଳ ଥାନା ସାନ କେରଜାଙ୍ଗ ଗାଁର କାଳିଆ ମହାପାତ୍ର। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ ଜାରି ରଖିଥିବା ଜଣାଯାଇଛି।
ସୂଚନା ଅନୁସାରେ,ସାନକେରଜାଙ୍ଗ ଗାଁରେ ମଙ୍ଗଳବାର ସେହି ଗାଁର ୪ ଜଣ ଯୁବକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳା ଏହାକୁ ବିରୋଧ କରିବା ସହିତ ତାଙ୍କର ଦୁଇ ପୁଅ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାଟି କରିଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ। ହେଲେ କିଛି ସମୟ ପରେ ଏକ ନମ୍ବର ବିହୀନ କାର୍ରେ ଆସି ସେମାନେ ମହିଳା ଓ ତାଙ୍କ ପୁଅଙ୍କ ସହ ପୁଣି ଗଣ୍ଡଗୋଳ କରିଥିଲେ। ଜଣେ ଅଭିଯୁକ୍ତ ବନ୍ଧୁକ ବାହାର କରି ୩ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ନାବାଳକଙ୍କ ଜଙ୍ଘରେ ବାଜିଥିଲା। ଗୁରୁତର ନାବାଳକଙ୍କୁ ପରିବାର ଲୋକେ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଧରିଛି ଓ ବାକି ୩ ଜଣଙ୍କୁ ଖୋଜୁଥିବା ଜଣାଯାଇଛି।