ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଏକ ଜୀବନ ଯାଇଛି। ଅନୁଗୁଳ ହାଇସ୍କୁଲ ସାମ୍ନାରେ ଟ୍ରକ ଧକ୍କାରେ ଜଣେ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି।
ସୂଚନା ଅନୁସାରେ, ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ରାତି ପ୍ରାୟ ୧୨ ଟା ବେଳେ ଏକ ଟ୍ରକ ଧକ୍କା ଦେବା ଫଳରେ ମଟର ସାଇକେଲରେ ଯାଉଥିବା ହୁଲୁରିସିଂହା ଗ୍ରାମର ବିଶ୍ୱଜିତ୍ ନନ୍ଦଙ୍କର ମୃତ୍ୟୁ ହୋଇଥିଲା। ସେ ଗାନ୍ଧୀ ପାର୍କ ପଛ ପଟରେ ଏକ ପାନ ଦୋକାନ କରିଥିଲେ। ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଟକ ଅଞ୍ଚଳରୁ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ବିଶ୍ୱଜିତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ବିଶ୍ୱଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେବା ସହ କିଛି ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅନୁଗୁଳ ଟାଉନ୍ ଥାନା ପୋଲିସ ପହଞ୍ଚି ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତ ଦେହକୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।