ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ହାଟ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବନ୍ଦା ବ୍ରିଜ ଉପରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ନାଲକୋ ଟାଉନସିପ୍ କେନାଲ ନିକଟସ୍ଥ ହାଟିଙ୍ଗ ଅଞ୍ଚଳର ମାଣିକ ମାରାଣ୍ଡି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବାଇକ (OR 19 B 7735) ଚାଳକ ବଅଁରପାଳ ଛକରୁ ଘର ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଟ୍ରକ୍ (OD 35 C9644) ତାଙ୍କୁ ଧକ୍କା ଦେଇଥିଲା। ଏ ନେଇ ସ୍ଥାନୀୟ ଲୋକେ ବଅଁରପାଳ ପୋଲିସକୁ ଖବର ଦେବା ସହ ୧୧୨ କୁ ଯୋଗାଯୋଗ କରିଥିଲେ। କିନ୍ତୁ ୧୧୨ ଆମ୍ବୁଲାନ୍ସ ଆସିବାରେ ଡେରି ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବଅଁରପାଳ ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ନିଜ ଗାଡ଼ିରେ ବଅଁରପାଳ ସିଏଚସିକୁ ସ୍ଥାନାନ୍ତରିତ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଦମକଳବାହିନୀଙ୍କୁ ଯୋଗାଯୋଗ କରି ତାଙ୍କୁ ଦମକଳ ଗାଡିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ବଅଁରପାଳ ପୋଲିସ ଦୁଇ ଗାଡ଼ିକୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର, ଦୁର୍ଘଟଣାସ୍ଥଳରେ ଉତ୍ତେଜନା
