ଅନୁଗୁଳ: ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସ୍ଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରାଇବା ଏବଂ ବନ୍ତଳା ଓ ଜରପଡ଼ା ଅଞ୍ଚଳ ଯାଉଥିବା ଛୋଟିଆ ଗାଡ଼ି ଷ୍ଟାଣ୍ଡକୁ ପୁରୁଣା ବସ୍ ଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରିବା ଦାବିରେ ବ୍ୟବସାୟୀଙ୍କ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ୟବସାୟୀଙ୍କ ଦାବି ମୁତାବକ, ପୁରୁଣା ବସଷ୍ଟାଣ୍ଡ ନିକଟରେ ଜିଲ୍ଲାର ମୁଖ୍ୟ ପ୍ରଶାସନିକ ଅଫିସ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, କୋର୍ଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବଜାର ରହିଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀମାନେ ବସ୍ ଷ୍ଟାଣ୍ଡରୁ ଓହ୍ଲାଇ ସହଜରେ ନିଜର କାର୍ଯ୍ୟ ସମ୍ପାଦନ କରି ଫେରିପାରୁଥିଲେ। କିନ୍ତୁ ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ଷ୍ଟାଣ୍ଡକୁ କୌଣସି ବସ୍ ଆସୁନଥିବାରୁ ଯାତ୍ରୀମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।
ଅନ୍ୟପଟେ ପୁରୁଣା ବସ ଷ୍ଟାଣ୍ଡର ଜାଗା ଅବ୍ୟବହୃତ ହୋଇ ପଡ଼ି ରହିବା ଫଳରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଣୁ ପୁରୁଣା ବସ ଷ୍ଟାଣ୍ଡକୁ ବନ୍ତଳା ଓ ଜରପଡା ଅଞ୍ଚଳ ଯାଉଥିବା ଛୋଟିଆ ଗାଡିଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରିବାକୁ ତଥା ପୁରୁଣା ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି। ପ୍ରଶାସନ ଦାବି ପୂରଣ ନ କଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ବ୍ୟବସାୟୀଗଣ ଚେତାବନୀ ଦେଇଛନ୍ତି।