ଅନୁଗୁଳରେ ସେପ୍ଟେମ୍ବର ୧୬ରୁ ପଲ୍ଲିଶ୍ରୀ ମେଳା, ବସିବ ୨୦୦ ଷ୍ଟଲ

You are currently viewing ଅନୁଗୁଳରେ ସେପ୍ଟେମ୍ବର ୧୬ରୁ ପଲ୍ଲିଶ୍ରୀ ମେଳା, ବସିବ ୨୦୦ ଷ୍ଟଲ

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରର ପଲ୍ଲିଶ୍ରୀ ମେଳା ୨୦୨୩ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଆସନ୍ତା ସେପ୍ଟେମ୍ବର ମାସ ୧୬ ରୁ ୨୪ ତାରିଖ ପର୍ଯ୍ୟନ୍ତ ନାଲ୍‌କୋନଗରରେ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାର ପୂର୍ବ ବର୍ଷର ବିବରଣୀ ଏବଂ ଏ ବର୍ଷ କାର୍ଯ୍ୟସୂଚୀ ସମ୍ପର୍କରେ ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ସୂଚନା ପ୍ରଦାନ କରିଥିଲେ।

ମେଳାରେ ଜିଲ୍ଲା ଓ ରାଜ୍ୟ ସ୍ତରର ମୋଟ ୨୦୦ଟି ଷ୍ଟଲ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଏହି ମେଳାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ନାଲ୍‌କୋ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି।

ଏହି ମେଳାରେ ୯ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସଫାସୁତୁରା, ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ବିଦ୍ୟୁତ୍, ପାନୀୟ ଜଳ, ଟ୍ରାଫିକ୍‌ କଣ୍ଟ୍ରୋଲ ,ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ନିମନ୍ତେ ରହଣି ବ୍ୟବସ୍ଥା ଇତ୍ୟାଦି ଉପରେ ଗୁରୁତ୍ବାରୋପ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଶେଷରେ ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply