ପାଳଲହଡ଼ା: ସରକାର ଜନସମ୍ପର୍କ ଯାତ୍ରା ଜରିଆରେ ଗାଁ ଗାଁ ବୁଲି ବିକାଶର କଥା କହୁଥିବା ବେଳେ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ବିକାଶର ଚିତ୍ର କିନ୍ତୁ ପୂରା ଓଲଟା। ଏଠାରେ ୨୦୦୯ ମସିହାରେ ଉଦଘାଟିତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ଯାଏଁ ରକ୍ତ ସଂରକ୍ଷଣ କେନ୍ଦ୍ର ତିଆରି ହୋଇପାରିନାହିଁ। ସେହିପରି ସବୁବେଳେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳୁଛି। କର୍ମଚାରୀ ନଥିବାରୁ ମେସିନ ସବୁ ଖତ ଖାଉଛନ୍ତି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ନିର୍ବାଚନ ଆସିଲେ ଜନପ୍ରତିନିଧିମାନେ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ସଂରକ୍ଷଣ କେନ୍ଦ୍ର କରିବାକୁ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ପରେ ଭୁଲିଯାଆନ୍ତି।
ସୂଚନାଯୋଗ୍ୟ ଯେ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରତିଦିନ ଦେବଗଡ଼ ଓ କେନ୍ଦୁଝରର ଶତାଧିକ ଲୋକ ନିର୍ଭର କରି ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ଅଚଳ ମେସିନ ଓ ମେସିନ କର୍ମଚାରୀଙ୍କ ଅଭାବରୁ ସାମାନ୍ୟ ରୋଗରେ ବି ବାହାରକୁ ଯାଉଥିବା ଦେଖା ଯାଇଛି। ଚିକିତ୍ସାଳୟରେ ଏକ୍ସରେ ମେସିନ ଓ ଅଲଟ୍ରା ସାଉଣ୍ଡ ମେସିନ ଥିବା ବେଳେ ତାହା ଅଚଳ ହୋଇ ପଡ଼ିଛି। ସେହିପରି ଶବଗୃହରେ ଶବ ସଂରକ୍ଷଣ ଫ୍ରିଜ ବି ଚାଲୁନି। ଏ ନେଇ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଜେ ବି ପଟ୍ଟନାୟକଙ୍କୁ ପଚାରିବାରୁ ଅକ୍ଟୋବର ମାସରୁ ରକ୍ତ ସଂରକ୍ଷଣ କେନ୍ଦ୍ରର ନବୀକରଣ ହୋଇସାରିଛି ବୋଲି କହିଛନ୍ତି। ଖୁବ ଶୀଘ୍ର ଅଲଟ୍ରାସାଉଣ୍ଡ, ଟ୍ରମା କେୟାର ଓ ଫିଜିଓ ଥେରାପି ଡାକ୍ତର ଆଣିବା ପାଇଁ ଚିଠି ଲେଖିଛୁ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।