ଅନୁଗୁଳ: ଉଦଘାଟନ ପରେ ୬ ମାସ ହେବ ଅନୁଗୁଳ ପୌରପାଳିକା ଅନ୍ତର୍ଗତ ପଞ୍ଚତତ୍ତ୍ଵ ପାର୍କ ଗେଟରେ ତାଲା ପଡିଛି। ପାର୍କ ଭିତରକୁ ଯିବା ସମ୍ପୂର୍ଣ୍ଣ ନିଷେଧ ଅଛି। ଏନେଇ ଅନୁଗୁଳ ପୌରପାଳିକା ନିରବ ଥିବା ବେଳେ ଜିଲ୍ଲା ପ୍ରଶାସନ ବି ପାର୍କ ଖୋଲିବାକୁ ତତ୍ପରତା ଦେଖାଉନାହିଁ। ଏଣୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଫଣ୍ଡରୁ କୋଟି କୋଟି ଟଙ୍କା ବ୍ୟୟରେ ଏହି ପଞ୍ଚତତ୍ତ୍ଵ ପାର୍କ ନିର୍ମାଣ କରାଯାଇଥିଲା। ପାର୍କ ନିର୍ମାଣ ସମୟରେ ନିର୍ମାଣ କାର୍ଯ୍ୟର ଫଟୋ ଉଠାଇବାକୁ ମନା କରିଥିଲେ ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଆଉ ଅଧା ପନ୍ତରିଆ ଅବସ୍ଥାରେ ହିଁ ଏହାକୁ ଲୋକାର୍ପିତ କରାଯାଇଥିଲା। କିନ୍ତୁ ଏମିତି ତରତରିଆ ହୋଇ କାହିଁକି ଉଦ୍ଘାଟନ କରାଯାଇଥିଲା ତାହା କାହାକୁ ବି ଜଣାନାହିଁ।
ତେବେ ବ୍ରିଜ ଏଣ୍ଡ ଗ୍ରୁଫ ନାମକ ଠିକା ସଂସ୍ଥା ପାର୍କ ନିର୍ମାଣ କାର୍ଯ୍ୟକୁ ହାତକୁ ନେଇଥିଲା। ଗତ ୨୪.୧.୨୦୨୪ ତାରିଖରେ ତତ୍କାଳୀନ ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ପାର୍କ ଉଦଘାଟନ କରିଥିଲେ। କିନ୍ତୁ ପାର୍କ ଉଦଘାଟନ ହେବାର ୬ ମାସ ବିତିଯାଇଥିଲେ ମଧ୍ୟ ଗେଟରେ ତାଲା ପଡିଛି। ସାଧାରଣ ଲୋକ ଭିତରକୁ ଯିବା ସମ୍ଭବ ହୋଇପାରିନାହିଁ।
ଏ ନେଇ ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ କହିବା ଅନୁସାରେ, ପାର୍କ ଭିତରେ କିଛି କାର୍ଯ୍ୟ ଶେଷ ହୋଇନାହିଁ। କିଛି ଦିନ ପରେ ପାର୍କ ଖୋଲିଯିବ। ଡିଏମଏଫ ଫଣ୍ଡରୁ ୭ କୋଟି ଟଙ୍କାରେ ପାର୍କ ନିର୍ମାଣ ହୋଇଛି ବୋଲି ଶ୍ରୀ ନାୟକ କହିଛନ୍ତି।