ଭୁବନେଶ୍ବର:: ଓବିସି ତାଲିକାରେ ଖଣ୍ଡାୟତଙ୍କୁ ଯୋଡିବାକୁ ଯୋଜନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ ଏବଂ କଳିଙ୍ଗୀ ଶୂଦ୍ର ଖଣ୍ଡାୟତଙ୍କ ସହ ମୋଟ୍ ୧୪ଟି ଜାତିକୁ ଓବିସି ତାଲିକାରେ ସାମିଲ କରାଯିବା ନେଇ ଯୋଜନା।
ଏନେଇ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ପଛୁଆ ବର୍ଗ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ୍ ଅହିରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଛନ୍ତି।
ଚିଠିରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ‘ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି ଏବଂ ରାଜଶ୍ରୀବଳାସୀ/ବଳାସୀ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରାଯାଉ।
ରାଜ୍ୟ ଏସଇବିସି ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ନଥିବାରୁ ଏହି ସମାଜର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରୀୟ ଓବିସି ତାଲିକାରେ ଏହି ବର୍ଗର ଜାତିଙ୍କୁ ସାମିଲ କରାଗଲେ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ’।


