ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାର୍ବଣ ଋତୁରେ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ବିପର୍ଯ୍ୟସ୍ତ ନ ହୁଏ, ସେ ନେଇ ଆଲୋଚନା କରାଯାଇଛି।
ଚଳିତ ବର୍ଷ ଅନୁଗୁଳ ସହରରେ ୧୧ଟି ଦୁର୍ଗା ମେଢ଼ ଓ ୨୯ଟି ଲକ୍ଷ୍ମୀ ମେଢ଼ କରାଯିବ। ଏଣୁ ପୂଜା ବେଳେ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀମାନେ ଯେଭଳି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଗୁରୁତ୍ୱ ଦେବାକୁ ପୋଲିସ ପ୍ରଶାସନ, କେନ୍ଦ୍ରୀୟ ପୂଜା କମିଟି ଓ ବିଭିନ୍ନ ପୂଜା କମିଟିର ସହଯୋଗ କାମନା କରିଥିଲା ପ୍ରଶାସନ।
ଚଳିତ ବର୍ଷ ବଳ ପୂର୍ବକ ଚାନ୍ଦା ଆଦାୟ ନ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା। ସେହିପରି ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖୁ ଶବ୍ଦଯୁକ୍ତ ବାଣ ଓ ଡିଜେ ବଜାଇବାକୁ ବ୍ୟାନ କରାଯାଇଛି। ଜନସମାଗମକୁ ଦୃଷ୍ଟିରେ ରଖି ପୂଜାମଣ୍ଡପରେ ୨୪ ଘଣ୍ଟିଆ ଜଳ ଯୋଗାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।
ଏ ବର୍ଷ ପୂଜାକମିଟିର ସମସ୍ତ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ପୂର୍ବ ବର୍ଷ ଭଳି ପୂଜାକମିଟିଗୁଡିକ ମଣ୍ଡପରେ ଅଗ୍ନି ନିର୍ବାପକ ସରଞ୍ଜାମ ରଖିବାକୁ ସ୍ଥିର ହୋଇଛି। ବିଭିନ୍ନ ଯାନବାହନ, ଆମ୍ବୁଲାନ୍ସ ଓ ଅଗ୍ନି ସେବା ଗାଡି ଯାତାୟାତ ନିମନ୍ତେ ପ୍ରତ୍ୟେକ ପୂଜା କମିଟି ଭୂମିଠାରୁ ୧୮ ଫୁଟ ଉଚ୍ଚତାରେ ତୋରଣ ନିର୍ମାଣ କରିବା ସହ ଲାଇଟ ଲଗାଇବାକୁ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ପୂଜା ମଣ୍ଡପରେ ରାତି ୧୦ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହରରେ ଥିବା ରାସ୍ତାଘାଟ ଓ ନାଳ ନର୍ଦ୍ଦମାକୁ ସଫା କରିବା, ପରିମଳ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା, ପାନୀୟ ଜଳ ଯୋଗାଣ କରିବା ଏବଂ ଉତ୍ସବ ସମୟରେ ଦେଶୀ ଓ ବିଦେଶୀ ମଦ କାରବାର ଉପରେ କଟକଣା ଲଗାଇବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ପରାମର୍ଶ ଦିଆଯାଇଛି।
ସେହିପରି ପୂଜାକମିଟି ପକ୍ଷରୁ ପରିବେଷଣ କରାଯିବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨ ଦିନ ପୂର୍ବରୁ ଆଗୁଆ ଅନୁମତି ନେବାକୁ ସ୍ଥିର କରାଯାଇଛି। ସେହିଭଳି ପାର୍କିଂ ଉପରେ ଗୁରୁତ୍ୱାରୋପ କରାଯାଇଛି।
ଚଳିତବର୍ଷ ପୂଜାରେ ଉତ୍ତମ ସାଜସଜ୍ଜା ଓ ଆତସବାଜି କରିଥିବା ପୂଜା କମିଟିକୁ ଜିଲ୍ଲା ବସ ଓ ଟ୍ରକ ମାଲିକ ସଂଘ ତରଫରୁ ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ।
ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ପୂଜା କମିଟି ନିଜ ଅଞ୍ଚଳରେ ଅସ୍ଥାୟୀ ପୋଖରୀ କରିବାକୁ କୁହାଯାଇଛି। ଉଭୟ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ବେଳେ ମୂର୍ତ୍ତିକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବାକୁ ନିଷ୍ପତ୍ତି ହୋଇଛି।
ବୈଠକରେ କେନ୍ଦ୍ରୀୟ ପୂଜା କମିଟିର ସଭାପତି ତଥା ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଉପଜିଲ୍ଲାପାଳ ବଇତୁରା ଦିପ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।