ଅନୁଗୁଳ: ଏଣିକି ବେସରକାରୀ ସ୍କୁଲରେ ମାଗଣାରେ ପଢ଼ିବେ ଗରିବ ପିଲା। ଶିକ୍ଷା ଅଧିକାରରେ ଆର୍ଥିକ ଭାବେ ପଛୁଆ ପିଲାଙ୍କୁ ମିଳିଛି ନୂଆ ସୁଯୋଗ। ଆଶାୟୀ ବିଦ୍ୟାର୍ଥୀ ଆରଟିଇ- ପାରଦର୍ଶୀ ସାଇଟରେ ଅନଲାଇନ ମାଧ୍ୟମରେ ଆସନ୍ତା ୧୮ରୁ ପଞ୍ଜୀକରଣ କରିପାରିବେ।
ସରକାରଙ୍କ ଶିକ୍ଷା ଅଧିକାର ଆଇନ ଏବେ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇବ। ଉତ୍ତମ ବେସରକାରୀ ବିଦ୍ୟାଳୟ ଗୁଡିକରେ ଆବେଦନ କରି ପିଲାମାନେ ନିଃଶୁଳ୍କ ଶିକ୍ଷା ଲାଭ କରିପାରିବେ। ଏହା ମାଧ୍ୟମରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇ ପାରିବ।
ଅନୁଗୁଳ ଜିଲ୍ଲାରେ ୧୮୭ଟି ବେସରକାରୀ ବିଦ୍ୟାଳୟ ରହିଛି। ସରକାରଙ୍କ ନିୟମ ଅନୁସାରେ ଏସବୁ ସ୍କୁଲରେ ଶିକ୍ଷା ଅଧିକାର ଆଇନ ବଳରେ ଛାତ୍ରଛାତ୍ରୀମାନେ ପାଠ ପଢିବେ। ବର୍ତ୍ତମାନ ସୁଦ୍ଧା ୧୨୯ଟି ବିଦ୍ୟାଳୟ ନିଜର ନିଜର ମାନଦଣ୍ଡ ପ୍ରଦର୍ଶନ କରି ସରକାରଙ୍କ ନିୟମାବଳୀରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ବଳକା ବେସରକାରୀ ବିଦ୍ୟାଳୟ ନିଜର ମାନଦଣ୍ତ ପୂରଣ କରିବା ପାଇଁ ସମସ୍ତ ଦସ୍ତାବିଜ ଦାଖଲ କରୁଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୦୭୪ ଜଣ ଛାତ୍ରଛାତ୍ରୀ ଏହି ନିଃଶୁଳ୍କ ସେବା ମାଧ୍ୟମରେ ପାଠ ପଢିବାକୁ ସିଟ ବ୍ୟବସ୍ଥା ହୋଇଥିବା ଜଣାପଡିଛି। ଏହା ମଧ୍ୟରେ ନର୍ସରିରେ ୨୮୪, ଏଲକେଜିରେ ୩୦୯ ଏବଂ ପ୍ରଥମ ଶ୍ରେଣୀରେ ୧୪୮୧ ସିଟ ରହିଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି।
ପ୍ରଥମ ପର୍ଯ୍ୟାୟରେ ବିଦ୍ୟାର୍ଥୀ ମାନେ ଆସନ୍ତା ୧୮ ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବେ। ଆବେଦନ ପତ୍ରକୁ ଯାଞ୍ଚ କରିବା ପାଇଁ ୩ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କ ଦ୍ୱାରା ଫିଜିକାଲ ଯାଞ୍ଚ କରାଯିବ। ମନୋନୀତ ଛାତ୍ରଛାତ୍ରୀ ତା ପରେ ନାମ ଲେଖାଇ ପାରିବେ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୨୯ ବିଦ୍ୟାଳୟରେ ୨୦୭୪ଟି ସିଟ ମଞ୍ଜୁର କରାଯାଇଛି।