ଅନୁଗୁଳ: ଅନୁଗୁଳ ମେଡିକାଲ ଜନ ଔଷଧି ଷ୍ଟୋର ଗତ ପ୍ରାୟ ପାଞ୍ଚ ମାସ ହେବ ବନ୍ଦ ଅବସ୍ଥାରେ ପଡ଼ି ରହିଛି।ଔଷଧ ଆଉ କିଣା ଯାଉନଥିବାରୁ ଦୈନିକ ପ୍ରାୟ ଦୁଇ ଶହ ରୋଗୀ ଔଷଧ ନପାଇ ନିରାଶରେ ଫେରୁଛନ୍ତି। ନିକଟତମ ଘରୋଇ ଜନ ଔଷଧି ଷ୍ଟୋର ମେଡିକାଲ ଠାରୁ ପ୍ରାୟ ଗୋଟିଏ କିମି ହୋଇଥିବାରୁ ଗରିବ ଗୁରୁବା ରୋଗୀ ହଇରାଣ ହେଉଛନ୍ତି। ପଚାଶ ଟଙ୍କାର ଔଷଧ ପାଇଁ ଅଟୋ ଭଡ଼ା ଶହେ ଟଙ୍କା ପଡ଼ୁଛି। ଫଳରେ ବାହାରୁ ଔଷଧ କିଣି ସର୍ବସ୍ବାନ୍ତ ହେଉଛନ୍ତି।
ପାଞ୍ଚ ମାସ ପୂର୍ବରୁ ଷ୍ଟୋର ପାଇଁ ଔଷଧ କିଣିବାକୁ ମେଡିକାଲରୁ ଜିଲ୍ଲା କାର୍ଯ୍ୟାଳୟ ଯାଏ ଫାଇଲ ନେବାକୁ ପଡୁଥିଲା। ଛ ଟେବୁଲ ଦେଇ ଫାଇଲ ଯିବାରୁ ବିଳମ୍ବ ମଧ୍ୟ ହେଉଥିଲା। ଏହି ସମସ୍ୟା ନେଇ ଗଣମାଧ୍ୟମରେ ଖବର ବାହାରିବାରୁ ଜିଲ୍ଲା ପ୍ରଶାସନ ମେଡିକାଲ ନିଜ ଔଷଧ କିଣାର ବ୍ୟବସ୍ଥା ନିଜେ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏହାପରେ ସ୍ବାସ୍ଥ୍ୟ ପ୍ରଶାସନ ଚୁପ୍ ହୋଇ ବସିଯିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଜନ ଔଷଧି ଷ୍ଟୋର ଏଣିକି କିଏ ପରିଚାଳନା କରିବ ସେଥି ନେଇ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ ଔଷଧ କିଣା ଯାଇ ପାରୁନାହିଁ। ଏଣେ ତିନି ତିନି ଜଣ ଫାର୍ମାସିଷ୍ଟ ବସି ବସି ଦରମା ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡବଲ ଇଞ୍ଜିନ ସରକାରରେ ଜନ ଔଷଧି ବ୍ୟବସ୍ଥାକୁ ଏଭଳି ଖାମଖିଆଲି ଭାବେ ଅଚଳ କରିଦେବା କେତେ ଯୁକ୍ତି ଯୁକ୍ତ ବୋଲି ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।