ଅନୁଗୁଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର! ଟ୍ରଲିରେ ବୁହା ହୋଇ ହସ୍ପିଟାଲ ଆସିଲା ରୋଗୀ

0

ଅନୁଗୁଳ: ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି କି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ ବୁହା ହୋଇ ଯାଉଛି ଏକ ଟ୍ରଲିରେ। ଏକ ଖୋଲା ଟ୍ରଲି ଉପରେ ରୋଗୀଟି ଶୋଇଥିବା ବେଳେ ଜୀବନ ବଞ୍ଚାଇବା ଆଶାରେ ନିଜ ଲୋକ ଟାଣି ନେଇ ଯାଉଛି ଡାକ୍ତରଖାନା ନିକଟକୁ। ଆଉ ଏ ଦୃଶ୍ୟ ହିଁ ଚିତ୍କାର କରି ଜଣେଇ ଦେଉଛି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ। ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର।

ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତି ପାଖାପାଖି ୯ଟା ବେଳେ ଜଣେ ରୋଗୀ ଏଭଳି ଟ୍ରଲିରେ ବୁହା ହୋଇ ଆସିଥିବା ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡ଼ିଛି ଯେ ବନାରସ୍ ଅଞ୍ଚଳର ଜଗଦୀଶ କୁମାରଙ୍କ ୧୨ ବର୍ଷର ପୁଅ ବୀର୍ କୁମାର ହଠାତ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଲା। ଏଣୁ ଆଉ କିଛି ବାଟ ନ ପାଇ ବାଧ୍ୟ ହୋଇ ପରିବାର ଲୋକେ ଟ୍ରଲିରେ ପକାଇ ବୀରକୁ ହସ୍ପିଟାଲ ଆଣିଥିଲେ। ଡେରି ହେଇଥିଲେ କାଳେ କିଛି ଅଘଟଣ ଘଟିଯାଇଥାନ୍ତା ସେଇ ଭୟରେ ପରିବାର ଲୋକଙ୍କୁ ଯାହା ମିଳିଲା ସେଥିରେ ପିଲାଟିକୁ ବୋହି ଆଣିଥିଲେ।

ତେବେ ଏହି ଘଟଣା ଆଜି ସହରର ସ୍ୱାସ୍ଥ୍ୟ ସେବାର ନଗ୍ନ ସତ୍ୟତାକୁ ସାମ୍ନାକୁ ଆଣିଛି। ମଣିଷକୁ ଜିନିଷ ଲଦିବା ଭଳି ଟ୍ରଲିରେ ହସ୍ପିଟାଲ ଆଣିବା ଘଟଣାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏହି ଘଟଣାର ଉଚିତ ତଦନ୍ତ କରିବା ସହ ଭବିଷ୍ୟତରେ ଯେମିତି ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.

error: Content is protected !!