ଅନୁଗୁଳ: ବୁଧବାର ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭାଘର ଠାରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ ନାଲକୋ ସହାୟତାରେ ନିକ୍ଷୟ ପୋଷଣ ଯୋଜନାର ଶୁଭାରମ୍ଭ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଯକ୍ଷ୍ମା ରୋଗୀ ମାନଙ୍କୁ ନିୟମିତ ଔଷଧ ସେବନ ସହିତ ପୁଷ୍ଟିକର ଆହାର ସେବନ କରିବା ଉପରେ ବିଧାୟକ ଗୁରୁତ୍ବ ପ୍ରଦାନ କରିଛନ୍ତି। ନାଲକୋ ସହାୟତାରେ ବଅଁରପାଳ, କିଶୋର ନଗର ଏବଂ ଆଠମଲ୍ଲିକ ବ୍ଲକରେ ରହୁଥିବା ଯକ୍ଷ୍ମା ରୋଗୀମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ନିମନ୍ତେ ନାଲକୋ ନିକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ନେଇଥିବା ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜର ଅବହେଳିତ, ନିଷ୍ପେସିତ ବର୍ଗଙ୍କ କଲ୍ୟାଣ ନିମନ୍ତେ ନାଲକୋର ଏହିପରି ଅବଦାନ ନିରନ୍ତର ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ନାଲକୋ ମାନବ ସମ୍ବଳ ତଥା ପ୍ରଶାସନ ବିଭାଗର ସମୂହ ସାଧାରଣ ପ୍ରବନ୍ଧକ ସୁନୀଲ କୁମାର ମହାପାତ୍ର ଯୋଗ ଦେଇ ନାଲକୋ ତରଫରୁ ଯକ୍ଷ୍ମା ରୋଗୀ ମାନଙ୍କର ସ୍ବାସ୍ଥ୍ୟରେ ଉତ୍ତମ ସୁଧାର ଆଣିବା ପାଇଁ ସବୁ ସମୟରେ ସଂକଳ୍ପବଦ୍ଧ। ତେଣୁ ଯକ୍ଷ୍ମା ରୋଗୀମାନେ ନିୟମିତ ଔଷଧ ସେବନ ସହିତ ନାଲକୋ ତରଫରୁ ପ୍ରଦାନ କରାଯାଉଥିବା ପୋଷଣ ଖାଦ୍ୟ ଝୁଡ଼ିରେ ଦିଆଯାଉଥିବା ପୋଷଣଯୁକ୍ତ ଖାଦ୍ୟ ସେବନ କଲେ ଶୀଘ୍ର ଆରୋଗ୍ୟ ଲାଭ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ସହକାରୀ ଜିଲ୍ଲା ସାର୍ବଜନୀକ ଚିକିତ୍ସା, ଯକ୍ଷ୍ମା ଅଧିକାରୀ ଡାକ୍ତର କୃଷ୍ଣଚନ୍ଦ୍ର ପାଳ, ବ୍ଲକ ସାର୍ବଜନୀନ ଚିକିତ୍ସା ଅଧିକାରୀ ଘନଶ୍ୟାମ ବେହେରା, ନାଲକୋ ହାସପାତାଳର ସହକାରୀ ସାଧାରଣ ପ୍ରବନ୍ଧକ ଡାକ୍ତର ଚିନ୍ମୟ କୁମାର ବାରିକ, ରାଜ୍ୟ ଯକ୍ଷ୍ମା ସଂଯୋଜକ, ଶିବ ପ୍ରସାଦ ଓଝା ପ୍ରମୁଖ ଉପସ୍ଥିତ ରହି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହିତ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପୁରୁଣାଗଡ ସାର୍ବଜନୀନ ଚିକିତ୍ସା କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ଏହି ଅବସରରେ ବନ୍ତଳା ପଞ୍ଚାୟତରେ ବସବାସ କରୁଥିବା ୧୦୦ ଜଣ ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କର ପରିବାରକୁ ୪୦୦ ଖାଦ୍ୟ ଝୁଡ଼ି ବଣ୍ଟନ କରିଯାଇଥିଲା। ଅନୁଗୁଳ ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ, ରୋଜାଲିନ ସାହୁ, ଅନୁଗୋଳ ବ୍ଲକ ହିସାବ ରକ୍ଷକ, ଦେବାଶିଷ ମିଶ୍ର, ଆଶା, ଅଙ୍ଗନୱାଡ଼ି କର୍ମକର୍ତ୍ତା, ନାଲକୋ ଫାଉଣ୍ଡେସନର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।