ଅନୁଗୁଳ: ଜଳୁଛି ଜଙ୍ଗଲ। କାବୁ କରିପାରୁନି ବନ ବିଭାଗ। ଅନୁଗୁଳ ବନଖଣ୍ଡରେ ନିୟନ୍ତ୍ରଣ ବାହାରକୁ ଗଲାଣି ଜଙ୍ଗଲ ନିଆଁ। ୧୦ ଦିନ ହେଲାଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ହୁ ହୁ ହୋଇ ଜଳୁଛି। ବନ ବିଭାଗ ତରଫରୁ ଲିଭାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଲାଭ ହେଉ ନାହିଁ। ଫଳରେ ଶହ ଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଣ ହୋଇଗଲାଣି। କେବଳ ଗଛ ନୁହେଁ ଜୀବଜନ୍ତୁଙ୍କ ଜୀବନ ବି ଯାଉଛି।
ଏହି ନିଆଁ ଏବେ ଧୀରେ ଧୀରେ ଉଗ୍ର ହୋଇ ଜନବସତି ଆଡ଼କୁ ବି ମାଡ଼ିଗଲାଣି। ଜଙ୍ଗଲ ପାଖ ଗାଁ ଲୋକ ଧୂଆଁ ଓ ତାତିରେ ଅତିଷ୍ଠ ହୋଇପଡ଼ିଲେଣି। ବିଶେଷ କରି ଅନୁଗୁଳ, ଛେଣ୍ଡିପଦା, ବନ୍ତଳା ଓ ଜରପଡ଼ା ରେଞ୍ଜ ଅଧୀନରେ ଥିବା ଜଙ୍ଗଲରେ ନିଆଁ ଲିଭିବା ନାଁ ଧରୁନି। ବନ କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପାହାଡ଼ ଉପରେ ଜଳୁଥିବା ନିଆଁ ଲିଭାଇବା ସମ୍ଭବ ହୋଇପାରୁନାହିଁ। ଜଙ୍ଗଲ ସାରା ଖାଲି ପାଉଁଶ। ଶ୍ରୀହୀନ ହୋଇ ଯାଇଛି ସବୁଜିମା।
ତେବେ ଜଙ୍ଗଲ ନିଆଁ ରୋକିବା ପାଇଁ ପ୍ରତି ବର୍ଷ ସରକାର ଲକ୍ଷାଧିକ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ବ୍ଲୋୟର ମେସିନ କିଣା ଯାଉଛି। ସ୍ୱତନ୍ତ୍ର ଫାୟାର ପ୍ରୋଟେକ୍ସନ ସ୍କ୍ୱାର୍ଡ କରାଯାଇଛି। ଆବଶ୍ୟକ ଗାଡି ଯୋଗାଇ ଦିଆଯାଇଛି। ଅସ୍ଥାୟୀ କର୍ମଚାରୀ ନିୟୋଜିତ କରାଯାଇଛି। ହେଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବନ ବିଭାଗ।
ଏବେ ଯାଏଁ ୧୦୦ରୁ ଅଧିକ ସ୍ଥାନରେ ଜଙ୍ଗଲ ନିଆଁକୁ ସାଟେଲାଇଟ୍ ଜରିଆରେ ଚିହ୍ନଟ କରାଯାଇଛି। ଏ ନେଇ ଅନୁଗୁଳ ଡିଏଫ୍ଓ ନୀତିଶ କୁମାର କହିଛନ୍ତି, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ କରାଯାଇଛି। ପ୍ରତି ବନ ସୁରକ୍ଷା ସମିତିକୁ ଦାୟିତ୍ୱ ଦିଆଯାଇଛି, ଯାହା ପଦକ୍ଷେପ ନେବା କଥା ସବୁ ନିଆଯାଇଛି ବୋଲି ଡିଏଫ୍ଓ କହିଛନ୍ତି।