ଅନୁଗୋଳ: ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ବିଜୟ। ବିଜେପି ଶିବିରରେ ଶକ୍ତ ଝଟକା। ବିଧାୟକଙ୍କ ରାଜନୈତିକ ପ୍ରଭାବ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଫଳତା ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ମହାବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଓ ଭୋଟ ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ସଭାପତି ପଦରେ ରଞ୍ଜିତ କୁମାର ନାଏକ, ଉପସଭାପତି ପଦରେ ଟୁକୁନା ମାଝୀ, କ୍ରୀଡ଼ା ସଂସଦ ସମ୍ପାଦକ ପଦରେ ଦୁର୍ଗା ପ୍ରସାଦ ମାଝୀ ଏବଂ ସହସାଧାରଣ ସମ୍ପାଦକ ପଦରେ ତାପସ କୁମାର ସେଠୀ ବିଜୟୀ ହୋଇଛନ୍ତି। ଏହି ପ୍ରାର୍ଥୀମାନେ ଏବିଭିପି ସମର୍ଥିତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ କ୍ରୀଡ଼ା ସଂସଦ ସହସମ୍ପାଦକ ପଦରେ ରାଜା ପ୍ରଧାନ ଏବଂ ସାଧାରଣ ସମ୍ପାଦକ ପଦରେ ଧରଣୀ ନାଏକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଧର୍ମରାଜ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ଭୋଟ ଗ୍ରହଣ ଓ ଗଣତି କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।
















