ବିସିଜେଡିକୁ ପଛରେ ପକାଇଲା ଏବିଭିପି, ପି.ଏସ୍‌.ଏସ୍‌.ଜେ. କଲେଜରେ ବିଜୟ

You are currently viewing ବିସିଜେଡିକୁ ପଛରେ ପକାଇଲା ଏବିଭିପି, ପି.ଏସ୍‌.ଏସ୍‌.ଜେ. କଲେଜରେ ବିଜୟ

ଅନୁଗୋଳ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପି.ଏସ୍‌.ଏସ୍‌.ଜେ. ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିବାବେଳେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି।

ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଉଭୟ ପକ୍ଷ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେଇ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିବା ଜଣାପଡ଼ିଛି।

ନିର୍ବାଚନ ଦିନ ଏବିଭିପି ପକ୍ଷରୁ ଜାତୀୟ ରାଜପଥ-୫୫ରୁ କଲେଜ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଛାତ୍ରଛାତ୍ରୀଙ୍କୁ ଚିରକୁଟ ବଣ୍ଟନ କରି ଅନୁରୋଧ କରାଯାଉଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ, ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ବଅଁରପାଳ ଥାନା ଆଇଆଇସି ଅୟସକାନ୍ତ ଜେନାଙ୍କ ଉପସ୍ଥିତିରେ କଲେଜ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ନିର୍ବାଚନ ଫଳାଫଳ ଅନୁଯାୟୀ, ଏବିଭିପି ସମର୍ଥିତ ଅଙ୍କିତା ପଟ୍ଟନାୟକ ସଭାପତି, ହିତୀଶ ନାଏକ ଉପସଭାପତି ଏବଂ ପ୍ରସାଦ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ଏବିଭିପି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Share

Leave a Reply