ପ୍ରକାଶ ବେହେରା ହତ୍ୟାକାଣ୍ଡ: ଅନୈତିକ ସମ୍ପର୍କ ଓ ଉଧାର ଟଙ୍କା ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା ଅଭିଯୁକ୍ତ, ୪ ଗିରଫ

0

ଅନୁଗୁଳ: ଅନୁଗୁଳ ଥାନା ହୁଲୁରିସିଂହା ଘାଷୀ ସାହିରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅନୁଗୁଳ ପୋଲିସ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ, ଛୁରୀ ସମେତ ଏକ ସୁନା ଚେନ ଏବଂ ପାଞ୍ଚଟି ମୋବାଇଲ ଫୋନକୁ ବି ପୋଲିସ ଜବତ କରିଛି। ସୋମବାର ଅନୁଗୁଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଟଙ୍କା କାରବାର ଓ ପରକୀୟା ପ୍ରୀତି ଥିବା ପୋଲିସ ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ, ମୃତ ପ୍ରକାଶ ବେହେରା ଏବଂ ହତ୍ୟାକାରୀ ଘାଷୀ ସାହିର ବାବୁ ମୁଖି (୨୩)ଙ୍କ ମଧ୍ୟରେ ପୂର୍ବରୁ ବ୍ୟବସାୟିକ ସମ୍ପର୍କ ଥିଲା। ଏହି କାରଣରୁ ପ୍ରକାଶ ବେହେରା, ବାବୁକୁ ୫୦ ହଜାର ଟଙ୍କା ଦେବାର ଥିଲା। କିନ୍ତୁ ପ୍ରକାଶ ଟଙ୍କା ଫେରାଉ ନ ଥିଲା। ସେହିପରି ଉଭୟେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ବି ରଖିଥିଲେ।

ଏ ନେଇ ବାବୁ ମୁଖି ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଅନ୍ୟ ଜଣେ ସହଯୋଗୀ କାହ୍ନା ମୁଖି(୨୩) ଏବଂ ସମ୍ପୃକ୍ତ ମହିଳାଙ୍କ ବାନ୍ଧବୀ ମିଶି ୨୧ ତାରିଖ ରାତିରେ ପ୍ରକାଶକୁ ଫୋନ କରି ଘାଷୀ ସହି ସ୍ଥିତ ଖେଳ ପଡିଆକୁ ଡକାଇଥିଲେ। ପ୍ରକାଶ ଖେଳ ପଡିଆରେ ପହଞ୍ଚିବା ପରେ ସମ୍ପୃକ୍ତ ମହିଳାଙ୍କ ବାନ୍ଧବୀ ତାଙ୍କୁ ମୋବାଇଲରେ ଏକ ଭିଡିଓ ଦେଖାଇବାରେ ବ୍ୟସ୍ତ ରଖିଥିଲେ। ଏହି ସମୟରେ ବାବୁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏହା ଦେଖି ପ୍ରକାଶ ଜୀବନ ବଞ୍ଚାଇ ଦୌଡିଥିଲେ ମଧ୍ୟ ସହଯୋଗୀ କାହ୍ନା ତାଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ହାଣି ପକାଇଥିଲା। ପ୍ରକାଶ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ିଯିବା ପରେ ଉଭୟ ବାବୁ ଓ କାହ୍ନା ମିଶି ପୁଣିଥରେ ତାଙ୍କୁ ଛୁରୀ, କଟୁରୀ ଓ ଭୁଜାଲିରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ପ୍ରକାଶଙ୍କ ପ୍ରାଣ ବାୟୁ ଉଡ଼ିଯିବା ପରେ ସେ ପିନ୍ଧିଥିବା ସୁନା ଚେନକୁ ବାବୁ ତା’ ବେକରୁ ଛିଣ୍ଡାଇ ଆଣି ନିଜ ମା’ଙ୍କୁ ଦେଇଥିଲା। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ବାବୁ ଲିଙ୍ଗରା ନାଳର ଏକ ପଥର ତଳେ ଲୁଚାଇ ରଖିଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଛି।

ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବାବୁ ଓରଫ କରଣ ମୁଖି, ସହଯୋଗୀ କାହ୍ନା ମୁଖି, ସମ୍ପୃକ୍ତ ମହିଳାଙ୍କ ବାନ୍ଧବୀ ଏବଂ ସୁନା ଚେନ ରଖିଥିବା ବାବୁର ମା’କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଆଜିର ସାମ୍ବାଦିକ ସମିଳନୀରେ ଏସଡିପିଓ ରମାକାନ୍ତ ମହାଳିକ, ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!