ଅନୁଗୁଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆସନ୍ତା ନଭେମ୍ବର ୧୯ ତାରିଖରେ ଏକ ପଦଯାତ୍ରା ଆୟୋଜନ ପାଇଁ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।
ନଭେମ୍ବର ୧୯ ତାରିଖ ସକାଳ ୯ ଘଟିକାରେ ଏହି ପଦଯାତ୍ରା ଶୈଳଶ୍ରୀକ୍ଷେତ୍ରରୁ ବାହାରି ଅନୁଗୋଳ ଷ୍ଟାଡିୟମ୍ରେ ଶେଷ ହେବ। ଏଥିରେ ପ୍ରାୟ ୧୦୦୦ ରୁ ୧୫୦୦ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ଅଂଶଗ୍ରହଣ କରିବେ।
ଏହି ଅବସରରେ ଜିଲ୍ଲା ସ୍ତରରେ ପ୍ରବନ୍ଧ, ବକ୍ତୃତା, ଡିଜିଟାଲ୍ ରିଲ୍ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ। ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ସୁଦିପ ଗଡନାୟକ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉପାସନା ପାଢ଼ୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।




