ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ତୃତୀୟ ଲିଙ୍ଗ ଅନୁଗୁଳ ଜିଲ୍ଲାରେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ତୃତୀୟ ଲିଙ୍ଗ(କିନ୍ନର) ରହିଛନ୍ତି।ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ତୃତୀୟ ଲିଙ୍ଗ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଅସୁରକ୍ଷିତ ଯୌନକ୍ରିୟା ଦ୍ଵାରା ଏଚ୍‌ଆଇଭି ପଯିଟିଭରେ ପୀଡିତ ହେଉଛନ୍ତି। ଯାହା ଫଳରେ ଜିଲ୍ଲାରେ ସାମାଜିକ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେଉଛି। ବିଶ୍ଵ ଏଡସ ଦିବସ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ଦି ମେଡିକ୍‌ସର ପରିଚାଳନା ନିର୍ଦ୍ଦେଶକ ଡ଼ା ଦିଲୀପ ସାମଲ। ଏଚଆଇଭି ପଜିଟିଭ ଏବଂ ଏଡ୍‌ସ ନିୟନ୍ତ୍ରଣ କ୍ଷେତ୍ରରେ ମେଡ଼ିକ୍‌ସ ଗତ ଏକ ଦଶନ୍ଧି ଧରି କାର୍ଯ୍ୟ କରିଆସୁଅଛି।

ଅନୁଗୁଳ ଜିଲ୍ଲାର ଚାରି ଗୋଟି ବ୍ଲକ୍‌ରେ ମେଡିକ୍‌ସ କାର୍ଯ୍ୟ କରୁଛି।ଅନୁଗୁଳ ବ୍ଲକ୍ ରେ ୪୮୩,ତାଳଚେର ବ୍ଲକ୍ ରେ ୪୭୫ ବଅଁରପାଳ ବ୍ଲକ୍‌ରେ ୩୮୪ ଓ ଛେଣ୍ଡିପଦାରେ ୨୦୭ ଜଣ ଏଚ୍‌ଆଇଭୀ ପଜିଟିଭ‌ବ୍ୟକ୍ତି ରହିଛନ୍ତି। ଅନୁଗୁଳ ଜିଲ୍ଲାରେ ବଡ଼ ବଡ଼ ଶିଳ୍ପ ଉଦ୍ୟୋଗ ରହିଛି ଏବଂ ଜିଲ୍ଲାରେ‌ ଖୁବ୍‌ ଶୀଘ୍ର ନୂଆ କୋଇଲା ଖଣି ମାନ ଚାଲୁ ହେବାର ପ୍ରସ୍ତାବ ରହିଛି। ଏଭଳି କ୍ଷେତ୍ରରେ ଏଚ୍ଆଇଭି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ତୃତୀୟ ଲିଙ୍ଗ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଜୀବିକା ଯୋଗାଇଦେବା ସହ,ମଧୁବାବୁ ପେନସନ,ରାସନ୍ କାର୍ଡ ଆଦି ଯୋଗାଇ ଦେଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଅଧିକରୁ ଅଧିକ ରକ୍ତ ପରୀକ୍ଷଣ ଓ ପରାମର୍ଶ କେନ୍ଦ୍ର ଖୋଲିବା ସହ ସ୍କୁଲ କଲେଜ୍‌ରେ ଏଡ୍‌ସ ନେଇ ସଚେତନତା
କାର୍ଯ୍ୟକ୍ରମ କଲେ ଜିଲ୍ଲାରେ ଏଡ୍‌ସ ନିୟନ୍ତ୍ରଣ ହୋଇପାରିବ ବୋଲି ଡ଼ା ସାମଲ ପ୍ରକାଶ କରିଥିଲେ । ପ୍ରଶାସନ ଏଥିନେଇ ସହଯୋଗର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଗତ ସାତ ମାସ ମଧ୍ୟରେ ୮୭ ଜଣ ପୁରୁଷ,୩୨ ଜଣ ମହିଳା ଓ ୪ ଜଣ ଶିଶୁ ଜିଲ୍ଲାରେ ଏଚ୍‌ଆଇଭି ପଯିଟିଭ ରୂପେ ଚିହ୍ନଟ ହୋଇଥିବା ଅନୁଗୁଳ ମେଡ଼ିକାଲ ଏଡ୍‌ସ ନିୟନ୍ତ୍ରଣ ସମିତି ପକ୍ଷରୁ ପ୍ରକାଶ।ଏମାନଙ୍କ ମଧ୍ୟରୁ ୩୫ ଜଣ ମୃତ୍ୟୁ ମୁଖରେ ପଡିଲେଣି। ଅଧିକରୁ ଅଧିକ ଜନ ସଚେତନତା,ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଷ୍ଟାଫ୍ ଯୋଗାଇ ଦିଆଗଲେ ଏଡ୍‌ସ ମହାମାରୀକୁ ନିଶ୍ଚିତ ରୂପେ ନିୟନ୍ତ୍ରଣ କରାଯାଇପାରିବ। ଏହି ସାମ୍ବାଦିକ ସମ୍ମିଳନୀରେ ମେଡିକ୍‌ସର ପ୍ରୋଜେକ୍ଟ
ମ୍ୟାନେଜର ଇତିଶ୍ରୀ ଅପରାଜିତା ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!