ଅନୁଗୁଳ : ସ୍ଥାନୀୟ ବଲାସିଂହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ଗୃହ ମରାମତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବିଦ୍ୟାଳୟର ଶ୍ରେଣୀ ଗୃହ ବହୁ ପୁରୁଣା ହୋଇଥିବାରୁ ଏହାକୁ ମରାମତି ପରିବର୍ତ୍ତେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀ ତଥା ବିଦ୍ୟାଳୟ କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ୧୯୫୪ ମସିହାରୁ ନିର୍ମିତ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ଅଛି। ଛାତ୍ରଛାତ୍ରୀ ପଢୁଥିବା ସମୟରେ କେତେବେଳେ ଯେ କୌଣସି ଅଘଟଣ ଘଟିପାରେ। ଏଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଶ୍ରେଣୀ ଗୃହକୁ ମରାମତି କରିବା ପରିବର୍ତ୍ତେ ନୂତନ ଗୃହ ନିର୍ମାଣ କରାଗଲେ ଛାତ୍ରଛାତ୍ରୀ ସୁରକ୍ଷିତ ଶିକ୍ଷା ପ୍ରାପ୍ତ କରିପାରନ୍ତେ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମରାମତି କାର୍ଯ୍ୟ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କି କମିଟି କି ଗ୍ରାମବାସୀଙ୍କ ନିକଟରେ କୌଣସି ସୂଚନା ନଥିବା ଜଣାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରିତିକ୍ଷା ପ୍ରଧାନଙ୍କ କହିବା ଅନୁଯାୟୀ, ବିଦ୍ୟାଳୟର କୌଣସି ବି ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ପରିଚାଳନା କମିଟିର ବୈଠକ ହୋଇଥାଏ। କିନ୍ତୁ ଏହି କାର୍ଯ୍ୟ କିଏ କେଉଁ ପାଣ୍ଠିରୁ କରୁଛି ସେ ସମ୍ପର୍କରେ କାହା ପାଖରେ କୌଣସି ତଥ୍ୟ ନ ଥିବା ସେ କହିଛନ୍ତି। ଅନ୍ୟପଟେ ରାତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଖୋଲା ଯାଇଥିବା ପୁରୁଣା ଜିନିଷ ସବୁ କେହି ନେଇଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।