ଅନୁଗୁଳ: କେନ୍ଦ୍ର ସରକାରଙ୍କ ଦ୍ୱାରା ଏପ୍ରିଲ୍ ୧ ତାରିଖରୁ ସାରା ଦେଶରେ ଲାଗୁ କରାଯାଇଥିବା ଚାରିଟି ଶ୍ରମ କୋଡ୍ ବିରୋଧରେ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ସହରର ରାଜା ଛକଠାରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନଟିୟୁସି, ଏଆଇଟିୟୁସି, ସିଟୁ, ଏଚଏମଏସ, ଏଆଇୟୁଟିୟୁସି ଏବଂ ଏଆଇସିସିଟିୟୁ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମ କୋଡକୁ ଶ୍ରମିକ ବିରୋଧୀ ଦର୍ଶାଇ ଏହାକୁ ତୀବ୍ର ବିରୋଧ କରାଯାଇଛି।
ମିଳିତ ମଞ୍ଚର ଜିଲ୍ଲା ଆବାହକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆଇଏନଟିୟୁସି ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକ, ପ୍ରମୋଦ ଦେହୁରୀ, ସନାତନ ସାହୁ, ଏଆଇୟୁଟିୟୁସି ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ, ଭିକାରୀ ଚରଣ ପ୍ରଧାନ, ତୀର୍ଥବାସୀ ଭୋଇ, ଦୁଃଖୀଶ୍ୟାମ ମଲ୍ଲିକ, ପ୍ରଦୀପ ପ୍ରଧାନ ଏବଂ ଏଆଇସିସିଟିୟୁର ତପନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବକ୍ତାମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର କେବଳ ଦେଶୀ ଓ ବିଦେଶୀ କର୍ପୋରେଟ୍ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଶ୍ରମ କୋଡ୍ ଲାଗୁ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନଙ୍କର ସ୍ଥାୟୀ ନିଯୁକ୍ତି ଓ ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ ଏବଂ ଶ୍ରମିକ ଶୋଷଣ ବୃଦ୍ଧି ପାଇବ।
ସେହିପରି ଏହି ନୂତନ ବ୍ୟବସ୍ଥାରେ ଶ୍ରମିକଙ୍କ କାର୍ଯ୍ୟ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୨ରୁ ୧୬ ଘଣ୍ଟାକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି, ଯାହା ଶ୍ରମିକମାନଙ୍କୁ ଆଧୁନିକ କ୍ରୀତଦାସରେ ପରିଣତ କରିବ ବୋଲି ନେତାମାନେ ମତବ୍ୟକ୍ତ କରିଛନ୍ତି। ଶେଷରେ ଶ୍ରମ କୋଡ୍ ବାତିଲ କରିବା ଦାବିରେ ସମସ୍ତ ସ୍ତରର ଶ୍ରମିକ ଓ କର୍ମଚାରୀମାନଙ୍କୁ ଆଗେଇ ଆସିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।



