ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ବୁଧବାର ୩ ଦଫା ଦାବି ନେଇ ହିଙ୍ଗୁଳା କ୍ଷେତ୍ରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ କୋଇଲା ପରିବହନ ରାସ୍ତାରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୧୨ ତମ ଆରପିଡିଏସି ବୈଠକରେ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘର ଦାବି ନେଇ ଆଲୋଚନା ହୋଇଥିଲା। ବୈଠକରେ ଆରପିଡିଏସିର ଏକ ସବକମିଟି ଆମ୍ବପାଳ ଗସ୍ତକରି ଜମି ଉପରେ ନିର୍ମାଣାଧୀନ ଗୃହର ତଦନ୍ତ କରାଯାଇ ରିପୋର୍ଟ ପ୍ରସ୍ତୁତ ପରେ ସମସ୍ୟାର ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ସବକମିଟି ଆମ୍ବପାଳ ଗସ୍ତ କରି ସରଜମିନ ତଦନ୍ତ କରିବା ସହିତ ଏକ ରିପୋର୍ଟ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ପ୍ରାୟ ୬ ମାସ ବିତିଥିଲେ ମଧ୍ୟ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ବିସ୍ଥାପିତଙ୍କ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଶୁଣିନଥିଲେ। ଫଳରେ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜାସଂଘ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଏ ନେଇ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭାପତି ଧର୍ମାନନ୍ଦ ମାଝୀଙ୍କ ନେତୃତ୍ବରେ ଶତାଧିକ ପୁରୁଷ ଓ ମହିଳା ବୁଧବାର ସକାଳ ୬ଟାରୁ ୩ ଦଫା ଦାବି ନେଇ ହିଙ୍ଗୁଳା କୋଇଲା ଖଣିକୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରିବା ସହିତ କୋଇଲା ପରିବହନ ରାସ୍ତାରେ ଧାରଣା ବସିରହିଛନ୍ତି। ଖବର ପାଇ ହିଙ୍ଗୁଳା କ୍ଷେତ୍ରର ଆଡିସନାଲ ଜିଏମ୍ ଶ୍ରୀବତ୍ସ ସାହୁ, ଭୂଅର୍ଜନ ଅଧିକାରୀ ସଂଜୟ ଦେଉ ଏବଂ ହିଙ୍ଗୁଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଯେ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି, ବିସ୍ଥାପିତଙ୍କ ଥଇଥାନ ଓ ଜମି ଉପରେ ନିର୍ମାଣଧୀନ ଗୃହ ଗୁଡିକର ଉଚିତ କ୍ଷତିପୂରଣ ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ଷତିଗ୍ରସ୍ତ ପ୍ରଜାସଂଘ ପ୍ରକାଶ କରିଛନ୍ତି। ଧାରଣାରେ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜାସଂଘର ସମ୍ପାଦକ ନାରାୟଣ ବେହେରା, ସମିତିସଭ୍ୟ ସତ୍ୟନାରାୟଣ ମାଝୀ, କୁଞ୍ଜବିହାରୀ ନାଏକ, ସାସଂଦଙ୍କ ପ୍ରତିନିଧି ବିଜୟ ମାଝୀଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଛନ୍ତି।