ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ତୁରୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାକେଶ ଦେହୁରିଙ୍କୁ ବୁଧବାର ଦିନ ଅନ୍ୟତ୍ର ଅଚାନକ ବଦଳି କରାଯାଇଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଏହି ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ରାକେଶ ଦେହୁରିଙ୍କ ବଦଳିକୁ ନେଇ ଗୁରୁବାର ଗ୍ରାମବାସୀ, ଶିକ୍ଷା କମିଟି ଓ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅଙ୍ଗପଡା ତୁରୁଡା ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ଯାଏଁ ଅଛି। ସ୍କୁଲରେ ୨୫୦ ଜଣ ପିଲାଙ୍କ ପାଇଁ ମାତ୍ର ୯ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ସେହି ୯ ଜଣ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଥିବା ବେଳେ ଆଉ ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ସିଆରସିସି ଭାବରେ ନିଯୁକ୍ତି ଦିଆଯାଇଛି। ଅନ୍ୟ ୭ ଶିକ୍ଷକ ପାଠ ପଢାଉଥିବା ବେଳେ ସେଥି ମଧ୍ୟରୁ ରାକେଶଙ୍କୁ ପୁଣି ଅଚାନକ ବଦଳି କରାଯାଇଥିବାରୁ ଅସନ୍ତୋଷ ଦେଖା ଦେଇଛି।

ବୁଧବାର ଶିକ୍ଷା କମିଟି ପକ୍ଷରୁ ରାକେଶଙ୍କ ବଦଳି ବାତିଲ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳୀ ଯାଇ କିଶୋରନଗର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଏଣୁ ଆଜି ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଖବର ପାଇ କିଶୋରନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଜନ କୁମାର ସାହୁ, ଗଜେନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷକଙ୍କ ବଦଳି ବାତିଲ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!