ତାଳଚେର: ତାଳଚେର ବ୍ଲକର ଘଣ୍ଟପଡ଼ା ଓ ବଲଣ୍ଡା ମଧ୍ୟଭାଗରେ ଥିବା ଗ୍ଲୋବାଲ ଓ ଆରିୟନ କୋଲ ୱାସରୀ ସ୍ଥାନୀୟ ପରିବେଶକୁ ପ୍ରଦୂଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏଣୁ ଏହାକୁ ବନ୍ଦ କିମ୍ବା ସ୍ଥାନାନ୍ତରିତ ଦାବିରେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଭାମା ସାହୁଙ୍କ ନେତୃତ୍ୱରେ ମହିଳା ମଞ୍ଚ ୱାସେରୀ ଫାଟକ ସମ୍ମୁଖ ରାସ୍ତା ଉପରେ ଗଣଧାରଣା ଦେବା ସହ ୨ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି।
ଅପରପକ୍ଷେ କୋଲ ୱାସରୀକୁ ବନ୍ଦ ଅଥବା ସ୍ଥାନାନ୍ତର ନକରିବାକୁ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳ ଓ ଅନ୍ୟମାନେ ଦାବି କରିଛନ୍ତି। ଗତକାଲି ଠାରୁ ସେଠାରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୱାସରି କାର୍ଯ୍ୟ ବନ୍ଦ ରହିଛି। ଯଦି ୱାସେରୀ ବନ୍ଦ ହେବ ତେବେ ଘଣ୍ଟପଡ଼ା ସମେତ ଆଖପାଖ ଅଞ୍ଚଳରୁ ୱାସରିରେ କାର୍ଯ୍ୟ କରୁଥିବା ପ୍ରାୟ ୫ ଶହ କର୍ମଚାରୀ ଜୀବନ ଜୀବିକା ହରାଇବେ ବୋଲି ସପକ୍ଷବାଦୀଙ୍କ ପକ୍ଷରୁ କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଉକ୍ତ କୋଲ ୱାସରି ସ୍ଥାନୀୟ ଖଣିରୁ କୋଇଲା ଆଣି ଛୋଟ ଛୋଟ ଅଂଶରେ ପରିଣତ କରି ବାହାରକୁ ରପ୍ତାନି କରିଥାଏ। ଗଚ୍ଛିତ କୋଇଲା ତଥା ପରିବହନ ସମୟରେ ଗୁଣ୍ଡ ଉଡ଼ି ଘଣ୍ଟପଡ଼ା ସମେତ ଏହାର ଆଖାପାଖ ଅଞ୍ଚଳ ପ୍ରଦୂଷିତ ହେଉଛି। ଏଣୁ ଏହାକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି ହୋଇଛି। ତେବେ ଆନ୍ଦୋଳନକୁ ଦୁଇ ଦିନ ବିତି ଥିଲେ ମଧ୍ୟ ପ୍ରଶାସନ ଉଭୟ ପକ୍ଷରୁ ଡାକି ସମାଧାନ କରିବାକୁ ସମର୍ଥ ହୋଇନାହିଁ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି।