ଅନୁଗୁଳ: ଅନୁଗୁଳ ସ୍ଥିତ ନାଲକୋ ସ୍ମେଲଟର କାରଖାନାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପାଇଁ ଆୟୋଜିତ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ବୁଧବାର ଦିନ ତୀବ୍ର ଜନ ଅସନ୍ତୋଷ ଓ ବିରୋଧ ମଧ୍ୟରେ ସମ୍ପନ୍ନ ହୋଇଛି। ଗୋପୀନାଥପୁର ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ଅପେକ୍ଷା ପୁଲିସର ଉପସ୍ଥିତି ଅଧିକ ଦେଖିବାକୁ ମିଳିଥିଲା। ଶୁଣାଣି ପୂର୍ବରୁ ପ୍ରାୟ ୭ଟି ବସ୍ ଓ ୧୫ରୁ ଅଧିକ ବୋଲେରୋ ଗାଡ଼ିରେ ପୁଲିସ ଫୋର୍ସ ପହଞ୍ଚିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନାଲକୋ ପକ୍ଷରୁ ଗ୍ରାମବାସୀଙ୍କୁ ଆଣିବା ପାଇଁ ପ୍ରତି ଗାଁକୁ ବସ୍ ପଠାଯାଇଥିଲେ ମଧ୍ୟ ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ଫଳରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଧ୍ୟ ଶହେରୁ କମ୍ ଲୋକଙ୍କ ଉପସ୍ଥିତି ରହିଥିଲା।
ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକାଙ୍କ ଉପସ୍ଥିତିରେ ଜନ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିବା କିଛି ଜମିହରା ପ୍ରଜା ନାଲକୋ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ୧୯୮୨ ମସିହାରୁ ନାଲକୋ ପାଇଁ ଜମି ହରାଇଥିବା ଲୋକେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ସଂଘର୍ଷ କରୁଛନ୍ତି। ବେନ୍ତପୁର ଗାଁର ସୁଷମା ରଥଙ୍କ ଭଳି ଅନେକ ବ୍ୟକ୍ତି ନିଜର ଦୁଃଖ ବଖାଣିବା ସହ କହିଛନ୍ତି ଯେ କମ୍ପାନୀ ଉପରୁ ସେମାନଙ୍କର ଭରସା ସମ୍ପୂର୍ଣ୍ଣ ତୁଟି ଯାଇଛି। ଏଥିସହ କାରଖାନାରୁ ନିର୍ଗତ ଫ୍ଲୋରାଇଡ୍ ଓ ବିଷାକ୍ତ ଗ୍ୟାସ୍ ଯୋଗୁଁ ପାରିପାର୍ଶ୍ୱିକ ଗ୍ରାମଗୁଡ଼ିକରେ ରୋଗ ବ୍ୟାପୁଥିବା ନେଇ ମଧ୍ୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କାଙ୍ଗୁଲା, ଗୋପୀନାଥପୁର ଓ କୁଲାଡ଼ ମୌଜାର ପ୍ରାୟ ୩୧ ଜଣ ଜମିହରା ପ୍ରଜା ପ୍ରଶାସନ ନିକଟରେ ନିଜର ମନ୍ତବ୍ୟ ରଖି ସ୍ପଷ୍ଟ କରିଛନ୍ତି ଯେ, ସ୍ଥାୟୀ ନିଯୁକ୍ତି ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସେମାନେ ଜମି ଦେବା କଥା ଚିନ୍ତା କରିବେ ନାହିଁ। ଉଚିତ କ୍ଷତିପୂରଣ ଏବଂ ନିଯୁକ୍ତିର ସ୍ପଷ୍ଟ ରୂପରେଖ ବିନା ସମ୍ପ୍ରସାରଣ କାର୍ଯ୍ୟରେ କୌଣସି ସହଯୋଗ କରାଯିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇ ଦେଇଛନ୍ତି।


