ଅନୁଗୁଳ: ପୁରୁଣାଗଡ଼ ରଥଯାତ୍ରା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଓ ମନ୍ଦିର ଉନ୍ନୟନ କମିଟି ସଦସ୍ୟ ଉପସ୍ଥିତ ଥିଲେ।
ରାଜା ରାଜୁଡ଼ା ଅମଳରୁ ପୁରୁଣାଗଡ଼ରେ ପାଳିତ ହେଉଥିବା ରଥଯାତ୍ରା ଚଳିତବର୍ଷ ସୁରୁଖୁରୁରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡକୁ ସ୍ୱଚ୍ଛ, ନିର୍ମଳ ରଖିବାକୁ କୁହାଯାଇଥିଲା। ରଥଯାତ୍ରାର ୭ ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି, ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ଵାସ୍ଥ୍ୟ ଶିବିର ଖୋଲିବା, ଚୋରା ମଦ ରୋକିବା, ପୁଲିସ ଫୋର୍ସ , ଆମ୍ବୁଲାନ୍ସ ମୁତୟନ ଏବଂ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଉନ୍ନତ କରିବା ନେଇ ଆଲୋଚନା କରାଯାଇଥିଲା।
ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ହେରା ପଞ୍ଚମୀ, ବାହୁଡା଼ ଯାତ୍ରା ଓ ସୁନାବେଶ ଦିନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଥିଲା। ଅନୁଗୁଳ ତହସିଲଦାର ଆଲୋକ ଦେହୁରୀ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବୈଠକରେ ଅନୁଗୁଳ ତହସିଲଦାର ଆଲୋକ ଦେହୁରୀ, ବନ୍ତଳା ଥାନା ଅଧିକାରୀ, ଏସ୍ ଡି ଓ ଆର ଆଣ୍ଡ ବି ଡିଭିଜନ, ଏସଡିଓ ଟିପିସିଓଡିଏଲ୍, ଏସ୍ଡିଓ ଆରଡବ୍ଲ୍ୟୁଏସ୍ଏସ୍, ଅଗ୍ନିଶମ କର୍ମଚାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅବକାରୀ ବିଭାଗ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ମନ୍ଦିର କମିଟି ତରଫରୁ ପ୍ରଶାନ୍ତ ପୃଷ୍ଟି, ସନାତନ ସାହୁ, ସୁନୀଲ ଦଳବେହେରା, ସହଦେବ ବେହେରା, ସୂର୍ଯ୍ୟାନନ୍ଦ ସିଂହ, ପ୍ରସନ୍ନ ସାହୁ, ଯଶୋବନ୍ତ ବେହେରା, ଗଦାଧର ମହାକୁଡ଼ ଓ ମନ୍ଦିର ନିର୍ବାହୀ ଅଧିକାରୀ ରବିନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।