ଅନୁଗୁଳ: ପାଇପ ବିଛାଇବା ବାହାନାରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପୂର୍ତ୍ତ ବିଭାଗର ରାସ୍ତା ଖୋଳି ପକାଉଛି ଠିକାସଂସ୍ଥା। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
ବୁଧବାର ସକାଳେ ଠାକୁରଗଡ଼ ଠାରୁ ଆଠମଲ୍ଲିକ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ବେଆଇନ ଭାବରେ ଜବରଦସ୍ତ ଖୋଳୁଥିବା ଅଭିଯୋଗ ହୋଇଛି। ଜେସିବି ମେସିନ ରାସ୍ତାକୁ ଖୋଳି ସଂପୂର୍ଣ୍ଣ ନଷ୍ଟ କରିଦେଉଥିବା ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ହିମାଂଶୁ ଭୂଷଣ ମହାଳିକ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୋଲିସ ଆସି ରାସ୍ତା ଖୋଳା ବନ୍ଦ କରିଛି।
ତାଙ୍କ ମୁତାବକ, ମେଗା ପ୍ରକଳ୍ପ ପାଇଁ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ଅଣଓଡ଼ିଆ ଠିକା ସଂସ୍ଥାକୁ କାମ ଦିଆଯାଇଛି। ଉକ୍ତ ସଂସ୍ଥା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଅନୁମତି ନ ନେଇ ମନଇଚ୍ଛା ରାସ୍ତା ଖୋଳିପକାଇଛି। ସରକାର କୋଟି କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିଥିବା ବେଳେ ଏବେ ତାହା ଶୋଚନୀୟ ହୋଇ ପଡ଼ିଛି। ଏଣୁ କାମ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗ ପରେ ପୋଲିସ କାମ ବନ୍ଦ କରାଇଥିବା ଜଣାଯାଇଛି।