ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସର୍ବୋଦୟ ୮୯.୬ ଏଫଏମ ପାଇଁ ନୂତନ ଗୃହ ନିର୍ମାଣ ନିମନ୍ତେ ଅନୁଗୁଳ ହାଟଛକସ୍ଥିତ ତିନିକୋଣିଆ ବଗିଚା ପରିସରରେ ଜିଲ୍ଲାପାଳ ଅବଦାଲ ଏମ ଅଖତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ରେଡିଓ ଷ୍ଟେସନର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ତାଙ୍କ ସାଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ଯୋଗାଇଦେଇଛନ୍ତି । ଏହି ଅର୍ଥରେ ରେଡିଓ ଷ୍ଟେସନ ପାଇଁ ଦୁଇଟି ରେକର୍ଡିଙ୍ଗ ଷ୍ଟୂଡିଓ ସହ ଏଡିଟିଂ ରୁମ, ବ୍ରଡକାଷ୍ଟିଙ୍ଗ ରୁମ ଆଦି ନିର୍ମାଣ ହେବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅନୁଗୁଳ ପୌର ପାଳିକାର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ପୂର୍ତ୍ତ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିଅର ପ୍ରତାପ କୁମାର ହରିପାଲ, ଏସଡ଼ିଓ ସୁବୋଧ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଧନେଶ୍ଵର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ରେଡିଓ ସର୍ବୋଦୟର ନିର୍ଦ୍ଦେଶକ ଡାକ୍ତର ବିଶ୍ଵଜିତ, ବାଜି ରାଉତ ଛାତ୍ରାବାସର ସମ୍ପାଦକ ଇଂ ଧନେଶ୍ଵର ସାହୁ, ପରିଚାଳକ କୈଳାଶ ଚନ୍ଦ୍ର ସାହୁ, ରେଡିଓର ପଦାଧିକାରୀ ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟନାରାୟଣ ନାଥ ପ୍ରମୁଖ ସେମାନଙ୍କୁ ରେଡିଓ କେନ୍ଦ୍ର ବୁଲାଇ ଦେଖାଇଥିଲେ ।