ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକ ହେଲେ ସନ୍ତରାପୁର୍ (ଖ) ପଞ୍ଚାୟତ ଅଙ୍ଗାରବନ୍ଧ ଗ୍ରାମର ସଞ୍ଜୟ ସାହୁ।
ସୂଚନା ମୁତାବକ, ମହୀଧରପୁର ଫାଣ୍ଡି ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ହେଉଥିବା ନେଇ ଖବର ପାଇ ଆଇପିଏସ୍ ହର୍ଷିତା ଆଡ଼େପୁ ନେତୃତ୍ୱରେ ବଅଁରପାଳ ପୋଲିସ ଚଢ଼ଉ କରିଥିଲା। ପ୍ରଥମେ ସଞ୍ଜୟ ସାହୁଙ୍କ ଦୋକାନରୁ ୯.୫ ଲିଟର ବିଦେଶୀ ମଦ ଜବତ ହୋଇଛି। ଏଥିସହ ପୋଲିସ ଦୋକାନ ମାଲିକ ସଞ୍ଜୟଙ୍କୁ ଗିରଫ କରିଥିଲା।
ସେହିପରି ଫୁଲପଡ଼ା ଗ୍ରାମର କାର୍ତ୍ତିକ ଗଡ଼ନାୟକ ଓ ସୁଷମା ଗଡ଼ନାୟକଙ୍କ ଘରେ ମଧ୍ୟ ପୋଲିସ ଚଢ଼ଉ କରିଥିଲା। ତାଙ୍କ ଘରୁ ୧୦୫ ଲିଟର ବିଭିନ୍ନ ପ୍ରକାର ବିଭିନ୍ନ ମାପର ସିଲ୍ ବିଦେଶୀ ମଦ ବୋତଲ ଜବତ ହୋଇଛି। ଘଟଣାସ୍ଥଳରୁ ଦୁଇ ଜଣ ଯାକ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଉଭୟଙ୍କୁ ଧରିବାକୁ ଚଢ଼ଉ କରିଥିବା ଜଣାଯାଇଛି।