କଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ

You are currently viewing କଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର – ସମ୍ବଲପୁର ରେଳପଥର କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ରେଳ ଲାଇନ ତଳେ ଅଣ୍ଡରପାସ ପାଇଁ ଆଜି ଜାଗା ଚିହ୍ନଟ ହୋଇଛି। ଏ ନେଇ ବହୁ ଦିନ ଧରି ଦାବି ହେଉଥିଲା।

କଦଳୀମୁଣ୍ଡା ଠାରେ ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରେଳ ବିଭାଗର ଏ କେ ସକସେନା, ଏ ପ୍ରଧାନ, ଏ.ଏଲ ପ୍ରଧାନ, କେ ସି ନାୟକ, ପି ପାଣ୍ଡେ, ଏଆଇପିଏଲର ଅଜିତ କୁମାର, ବିଜେଡି ନେତା ଭାଗିରଥି ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ଅରୁଣ କୁମାର ସାହୁ, ଶିଶୁମନ୍ଦିର ପରିଚାଳନା କମିଟିର ଉପ ସଭାପତି ଚୈତନ୍ୟ ବେହେରା, ସହ ପ୍ରଧାନଆଚାର୍ଯ୍ୟା ଜୋସ୍ନାମୟୀ ପ୍ରଧାନ, କଦଳୀମୁଣ୍ଡା ଗ୍ରାମ ସଭାପତି ସୁରେଶ ପ୍ରଧାନ, ଶିଶୁମନ୍ଦିର ସାହି ସଭାପତି ଆନନ୍ଦ ପ୍ରଧାନ, ୱାର୍ଡ ମେମ୍ବର ସଂଜୀବ ବେହେରାଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ସହ ବଇଣ୍ଡା ରେଳ ଲାଇନ ଉପରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେବା ପରେ ୫ ଟି ଗ୍ରାମକୁ ସଂଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଲୋକେ ୩ କିମି ଦେଇ ବୁଲି ଯାଉଥିଲେ। ଏଣୁ ଏବେ ଅଣ୍ଡର ପାସ୍ ହେଲେ ଲୋକଙ୍କ ଯାତାୟାତ ପାଇଁ ସୁବିଧା ହେବ।

ଅନ୍ୟପଟେ ଚଳିତ ମାସରେ ରେଳ ଧାରଣ ଉପରେ ଥିବା ଫାଟକଟି ଉଠାଇ ଦେବା ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଥିଲେ। ଏପରିକି କଦଳୀମୁଣ୍ଡା ରେଳ ଫାଟକ ନିକଟରେ ଶିଶୁମନ୍ଦିର ସାହି ବାସୀ, ଗୋବିନ୍ଦପୁର, ବଡ଼ହୁଲା, ପାର୍ବତୀପୁର, କଦଳୀମୁଣ୍ଡା ଗ୍ରାମବାସୀ ମାନେ ଜୁନ ମାସରେ ଆନ୍ଦୋଳନ କରିଥିଲେ। ପରେ ତା ୦୯/୦୭ / ୨୦୨୪ ରେ ନୁନୁକାପଶି ସରପଞ୍ଚ ଦୀପ୍ତିମୟୀ ସାହୁ ଉକ୍ତ ରାସ୍ତାକୁ ସଂଯୋଗ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏକ ଅଣ୍ଡରପାସ ନିର୍ମାଣ ସହ ସ୍ଥାୟୀ ରାସ୍ତା ଯୋଗାଇ ଦେବା ପାଇଁ ରେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବି ପତ୍ର ପ୍ରଦାନ କରିଥିଲେ। ପରେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନ ସହ ରେଳ ରୋକ ପାଇଁ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଆନ୍ଦୋଳନ ଡାକରା ଦେବା ପରେ ଆଜି ରେଳ ବିଭାଗ ପକ୍ଷରୁ ଅଣ୍ଡରପାସ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ କରିଥିବା ଜଣାପଡ଼ିଛି।

Share

Leave a Reply