ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଅନୁଗୁଳରୁ ନଳିନୀଙ୍କୁ ମିଳିପାରେ ଟିକେଟ୍ !

You are currently viewing ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଅନୁଗୁଳରୁ ନଳିନୀଙ୍କୁ ମିଳିପାରେ ଟିକେଟ୍ !

ଅନୁଗୁଳ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଏବେ କିଏ ରାଜ୍ୟସଭାକୁ ଯିବେ ତା ଉପରେ ସମସ୍ତଙ୍କ ନଜର। ରାଜ୍ୟ ସଭା ପାଇଁ ଅନୁଗୁଳ ଜିଲ୍ଲା କେବେ ବି ଗୁରୁତ୍ବ ପାଇନି। ଅନୁଗୁଳ ଓ ଢେଙ୍କାନାଳର ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ କୌଣସି ରାଜନୈତିକ ଦଳ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଏଣୁ ଏଥରକ ଏହି ଜିଲ୍ଲାର ପାଳି ପଡ଼ିପାରେ ବୋଲି ଆଶା କରାଯାଉଛି।

ଜିଲ୍ଲା ଇତିହାସରେ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ଅନୁଗୁଳରୁ କେହି ରାଜ୍ୟସଭା ଯାଇ ନ ଥିଲାବେଳେ ଏବେ ପୁଣି ଜଣେ ପ୍ରଶାସକଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ରାଜ୍ୟସଭାକୁ ଯିବେ ବୋଲି ଶୁଣିବାକୁ ମିଳୁଛି। ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଥିବା ନଳିନୀଙ୍କର ତୃତୀୟ ମହଲା ସହ ଭଲ ସଂପର୍କ ଥିବାରୁ ତାଙ୍କୁ ବିଜେଡି ରାଜ୍ୟ ସଭାକୁ ପଠାଇପାରେ। ଅନ୍ୟ ପଟେ ପଛୁଆ ବର୍ଗ ତଥା ପଶ୍ଚିମ ଓଡ଼ିଶା କୋଟା ପାଇଁ ତାଙ୍କ ପ୍ରାର୍ଥୀତ୍ବକୁ ଦଳ ଗୁରୁତର ସହ ବିଚାର କରୁଥିବା ସେମାନେ ଦାବି କରୁଛନ୍ତି।

ସୂଚନା ଯୋଗ୍ୟ ଯେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି। ସୁବାସ ସିଂହ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ଏହି ଆସନ ଏବେ ଫାଙ୍କା ଅଛି। ସେହିପରି ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ.ଭାସ୍କର ରାଓଙ୍କ କାର୍ଯ୍ୟକାଳ ପୂରିବା ପରେ ଏହି ୩ଟି ଆସନ ବି ଖାଲି ହେଉଛି। ତେଣୁ ଏହି ୪ଟି ଆସନ ପାଇଁ ଏବେ ନିର୍ବାଚନ ହେବ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭାକୁ ଯିବା ପାଇଁ ବହୁ ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ଏହି ତାଲିକାରେ ଏବେ ନଳିନୀ ପ୍ରଧାନଙ୍କ ନାଁ ଅଛି। ପୂର୍ତ୍ତ ସଚିବ ଭାବେ ଅବସର ନେବା ପରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ। ହେଲେ ସେତେ ବେଳେ ତାଙ୍କୁ ପରାସ୍ତ ହେବାକୁ ପଡିଥିଲା। କିନ୍ତୁ ଦଳରେ ତାଙ୍କର ଦବଦବା କମି ନ ଥିଲା। ତେଣୁ ତୁରନ୍ତ ତାଙ୍କୁ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଥିଲା। ଏହା ସହ ଗତ ପୌର ନିର୍ବାଚନ ସମୟରେ ଆଠମଲ୍ଲିକ ଏନଏସିର ନିର୍ବାଚନ ପରିଚାଳନା ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଥିଲା। ଏଥିରେ ସେ ସଫଳ ବି ହୋଇଥିଲେ। ତା ପରେ ପଞ୍ଚାୟତ ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେବା ସହିତ ଅନୁଗୁଳ ଜିଲ୍ଲା ପରିଷଦ ସଭାପତି ଆସନରେ ବି ବସାଇଥିଲେ। ଅନୁଗୁଳ ବିଜେଡି ରାଜନୀତିରେ ଥିବା ପୁରୁଣା ନେତାଙ୍କ ତୁଳନାରେ ନଳିନୀଙ୍କ ଗୁରୁତ୍ବ ଅଧିକ ବୋଲି ଏଥିରୁ ସ୍ପଷ୍ଟ ହୋଇଥିଲା। ଏଣୁ ଏବେ ରାଜ୍ୟସଭା ଦୌଡ଼ରେ ନଳିନୀଙ୍କ ନାଁ ରହିଛି। ତେବେ ଦଳର ସୁପ୍ରିମୋଙ୍କର ସେ କେତେ ବିଶ୍ଵାସଭାଜନ ହୋଇପାରିଛନ୍ତି ତାହା ଟିକେଟ ମିଳିବା ପରେ ଜଣାପଡ଼ିବ।

Share

Leave a Reply