ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା: ଚୋରି ସନ୍ଦେହରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଦୁଇ ଭାଇ ଗିରଫ

You are currently viewing ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା: ଚୋରି ସନ୍ଦେହରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଦୁଇ ଭାଇ ଗିରଫ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା। ଚୋରି କରୁଥିବା ସନ୍ଦେହରେ ବାପିଙ୍କୁ ପିଟି ପିଟି ମାରି ଦେଇଥିଲେ ଦୁଇ ଭାଇ। ହତ୍ୟାକାରୀ ଦୁଇ ଭାଇ ସୁନିଲ କୁମାର ସାହୁ ଓ ସୁଜିତ କୁମାର ସାହୁଙ୍କୁ ଗିରଫ କରିଛି ଅନୁଗୁଳ ଥାନା ପୋଲିସ। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶ ବାଡ଼ି ଜବତ କରାଯାଇଛି।

ଅନୁଗୁଳ ପୋଲିସର ସୂଚନା ଅନୁସାରେ, ସୁନିଲ ରେଳବାଇ ଠିକାଦାର ଭାବେ କାମ କରନ୍ତି। ତାଙ୍କର ଏକ ଗୋଦାମ ରହିଛି। ଅନ୍ୟପଟେ ବାପି ବିଶ୍ବାଳ ଭଙ୍ଗାରୁଜା ଲୁହା ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। କିଛି ଦିନ ତଳେ ସୁନିଲଙ୍କ ଗୋଦାମ ନିକଟରେ ବାପି ବୁଲୁଥିବା ସୁନିଲଙ୍କ ଭାଇ ଟୁନା ଦେଖିଥିଲେ। ସେ ଚୋରି କରୁଥିବା ସନ୍ଦେହ କରି ଏହି ଅଞ୍ଚଳକୁ ଆଉ ନ ଆସିବାକୁ ତାଗିଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ବାପି ଏକ ପଥର ଫିଙ୍ଗିଦେବାରୁ ଟୁନାଙ୍କ ଦେହରେ ବାଜିଥିଲା।

ଏହାକୁ କେନ୍ଦ୍ର କରି ୧୬ ତାରିଖରେ ବାପିଙ୍କୁ ସୁନିଲ ଓ ସୁଜିତ ଖୋଜାଖୋଜି କରିଥିଲେ। ଗାଁର ତ୍ରିବେଣୀ ଛକ ନିକଟରେ ବାପିଙ୍କୁ ପାଇବା ପରେ ଏକ ବାଉଁଶ ଫାଳିଆରେ ନିର୍ଦ୍ଧୁମ ପିଟିଥିଲେ। ଫଳରେ ବାପି ଗୁରୁତର ହୋଇ ପଡ଼ି ଯାଇଥିଲେ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ପରଠୁ ସୁନିଲ ଓ ସୁଜିତ ଫେରାର୍‌ ଥିଲେ। ସେମାନଙ୍କୁ ଧରିବା ପାଇଁ ପୁଲିସ ୨ ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୁଜିତଙ୍କ ନାମରେ ପୂର୍ବରୁ ଅନୁଗୁଳ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

Share

Leave a Reply