ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୭ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୨୪ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୬ ଲକ୍ଷ ୮୬ହଜାର ଟଙ୍କା ଦେବାକୁ ଘୋଷଣା ହୋଇଛି। ସେହିପରି ୧୩ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇଛି। ୧୩୪୭ଟି ବିଚାରାଧୀନ ମାମଲା ମଧ୍ୟରୁ ୨୪ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୩୧ ଲକ୍ଷ ୮୪ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୧୪ଟି ଚେକ ବାଉନ୍ସ ମାମଲା ଏବଂ ୪୯ଟି ଦେୱାନୀ ମାମଲାର ସମାଧାନ କରାଯାଇ ଥିଲା। ଏଥିସହ ୨ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୧୮ଟି ପାରିବାରିକ ମାମଲା (ଛାଡପତ୍ର ବ୍ୟତୀତ), ୧୭୬ଟି ଫୌଜଦାରୀ ମାମଲା, ୧୦୫୧ଟି ରାଜସ୍ବ ସମ୍ପର୍କିତ ମାମଲା, ୧୩ ଟି ଖାଉଟି ମାମଲାର ସମାଧାନ କରାଯାଇଥିଲା।
ଲୋକ ଅଦାଲତରେ ଅନୁଗୁଳ କୋର୍ଟର ବିଚାରପତି, ସରକାରୀ ଓକିଲ, ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧୀକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ଥିଲେ।