ଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

You are currently viewing ଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

ଅନୁଗୁଳ: ଦେବଭୂମି ଜିନ୍ଦଲନଗରରେ ଘୋଷଯାତ୍ରା ବେଶ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ରଥଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୁଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ବଡ଼ ଠାକୁର ତାଳଧ୍ଵଜରେ, ଦେବୀ ସୁଭଦ୍ରା ଦର୍ପଦଳନରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥିଲେ।

କୁରୁକ୍ଷେତ୍ରରୁ ତୃତୀୟ ଥରପାଇଁ ବିଜୟ ଲାଭ କରିଥିବା ସାଂସଦ ତଥା ଜେଏସପିର ଅଧ୍ୟକ୍ଷ ନବୀନ ଜିନ୍ଦଲ, ତାଙ୍କ ଧର୍ମ ପତ୍ନୀ ଜେଏସପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଏବଂ ତାଙ୍କ ମା’ ତଥା ଓ.ପି. ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ସାବିତ୍ରୀ ଜିନ୍ଦଲ ପ୍ରମୁଖ ରଥଯାତ୍ରାରେ ପ୍ରଧାନ ସେବକ ଭାବେ ଦାୟିତ୍ଵ ତୁଲାଇଥିଲେ। ନବୀନ ଜିନ୍ଦଲ ପହଣ୍ଡିରେ ଭାଗ ନେବା ସହ ଛେରା ପହଁରା କରିଥିଲେ।

ରଥଟଣା ପୂର୍ବରୁ ସକାଳେ ନେତ୍ର ଲାଗି, ନବ ଯୌବନ ଦର୍ଶନ, ମଙ୍ଗଳ ଆରତୀ, ପହଣ୍ଡିବିଜେ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦେବଭୂମିର ମୁଖ୍ୟ ସେବାୟତ ଶ୍ରୀକାନ୍ତ ଜୀ, କମ୍ପାନୀର ଅନୁଗୁଳ ମୁଖ୍ୟ ପଙ୍କଜ ମଲ୍ହାନ, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ୍, ସେମାନଙ୍କ ପରିବାର ସଦସ୍ୟ, ଅନ୍ୟ କର୍ମଚାରୀ ଓ ସାଧାରଣ ଜନତା ମିଶି ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ପ୍ରକାଶ ଯେ ରଥଯାତ୍ରା ଠାରୁ ଆସନ୍ତା ଜୁଲାଇ ୧୫ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଜିନ୍ଦଲ ନଗରରେ କର୍ମଚାରୀ ଏବଂ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯିବ।

Share

Leave a Reply