ଅନୁଗୁଳ: ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ କୋର୍ଟ ରୁମରେ ଅନୁଷ୍ଠିତ ଏହି ବୈଠକରେ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚାଯାତ୍ରା ଓ ୯ତାରିଖରେ ହେବାକୁ ଥିବା ବାହୁଡା ଯାତ୍ରାକୁ ଶାନ୍ତି ଶୃଖଳାର ସହ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ବିଶେଷ ଯତ୍ନବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ପ୍ରାରମ୍ଭରେ ଡେପୁଟୀ କଲେକ୍ଟର ମଧୁସ୍ମିତା ବିଶି ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଚଳିତ ବର୍ଷର ରଥଯାତ୍ରାକୁ ସୁଚାରୁରୁପେ ପରିଚାଳନା କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମନ୍ଦିର ପରାଚାଳନା କମିଟିର ସମ୍ପାଦକ ହେମନ୍ତ କୁମାର ଦାସ ଏହି ବୈଠକକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ୨୬ ତାରିଖ ସୁଦ୍ଧା ରଥ ନର୍ମାଣ କାର୍ଯ୍ୟ ଶେଷ ହେବ। ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଖାଲଖମା ଗୁଡିକରେ ପାଣି ଜମି ରହୁଥିବାରୁ ସେଗୁଡିକୁ ସମାନ କରିବା ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖରୁ ରଥ ବାହାରିବା ସମୟରେ ପଡୁଥୁବା ଗଡାଣିକୁ ମରାମତି କରିବାନେଇ ଆଲେଶଚନା ହୋଇଥିଲା। ହରିମହୁରୀ ଛକଠାରୁ ପିଟିସି ଛକ ମଧ୍ୟରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବାସହ ରଥର ସୁରକ୍ଷା ନିମନ୍ତେ ଆବଶ୍ୟକ ପୁଲିସ କର୍ମଚାରୀ ମୃତୟନ କରିବାକୁ ଉପସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସନ୍ନ କୁମାର ବିଶ୍ବାଳଙ୍କୁ ଅନୁରୋଧ କରାଗଲା। ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତଜାତୀୟ ରାଜପଥର ଉଭୟ ପାର୍ଶ୍ବ ରାସ୍ତା ମରାମତି, ଶୁଖୁଲା ଗଛ ଡାଳ କାଟିବା, ଅସ୍ଥାୟୀ ଦୋକାନଗୁଡିକର ସ୍ଥାନାନ୍ତର ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ସ୍ଥିର କରାଗଲଶ। କୋଭିଡ ପାଇଁ ବିଗତ ୨ ବର୍ଷ ରଥଯାତ୍ରା ହୋଇପାରି ନଥିବାରୁ ଚଳିତ ବର୍ଷ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଗାଡି ସାହାଯ୍ୟରେ ସ୍ବାସ୍ଥ୍ୟ ସେବାଯୋଗାଇ ଦେବା, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ, ୩ଟି ରଥରେ ନିୟୋଜିତ ସେବାୟତ ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା ତଥା ସହରକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଷ୍ଟେଟ ବ୍ୟାଙ୍କ ତରଫରୁ ବ୍ୟାଙ୍କ ସମ୍ମୁଖରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ରଥଯାତ୍ରା ପରିଚାଳନା କାର୍ଯ୍ୟ ତଦାରଖ କରାଯିବା ସହ ଜଗନ୍ନାଥ ସଂସ୍କୃତି ଓ ଘୋଷ ଯାତ୍ରା ସମ୍ପର୍କରେ ଧାରା ବିବରଣୀ କାର୍ଯ୍ୟ ପରିଚାଳନା କରିବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦିଆଗଲା।
ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ୯ ଦିନ ବ୍ୟାପି ପ୍ରତ୍ୟହ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଗୁଣ୍ଡିଚାମନ୍ଦିର ଠାରେ ସଂସ୍କୃତି ବିଭାଗ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଟଣା କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଯଥାକ୍ରମେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ରଥ ଟଣା ଦାୟିତ୍ବ ପ୍ରଦାନ କରାଗଲା। ଚଳିତ ବର୍ଷ ସକାଳ ୯ଟାରେ ପହଣ୍ଡି ବିଜେ, ଅପରାହ୍ନ ୧୨ଟାରେ ଛେରା ପହଁରା ଓ ଅପରାହ୍ନ ୨ଟା ୩୦ ମିନିଟ୍ରେ ରଥଟଣା କାର୍ଯ୍ୟର ଶୁଭାରମ୍ଭ ହେବ। ସେହିପରି ସକାଳ ୭ଟା ୩୦ ମିନିଟରେ ରଥରେ ଚାରମାଳ ଲାଗିବ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ପରମାନନ୍ଦ ମିଶ୍ର, ଭବାନୀ ପ୍ରସାଦ ମିଶ୍ର, ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।