ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ବସୁଧା ଓ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ, ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ଦୀକ୍ଷିତ ଓ ଏସଡ଼ିଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରକଳ୍ପର ବିଭିନ୍ନ ସମସ୍ୟାକୁ ନେଇ ସମୀକ୍ଷା କରିଥିଲେ।
ବୈଠକରେ ଅଭିଯୋଗ ହୋଇଥିଲା ଯେ ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ବହୁ ସ୍ଥାନରେ ଜନସାଧାରଣ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି ଛେଣ୍ଡିପଦା ବ୍ଲକରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ୱ ଓ ବିଭିନ୍ନ ପଞ୍ଚାୟତରେ ଉପୁଜୁଥିବା ସମସ୍ୟାର ତ୍ବରିତ ସମାଧାନ ପାଇଁ ସବିଶେଷ ଆଲୋଚନା କରାଯାଇଥିଲା।
କେତେକ ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ପାଇପ ବିଛା ଯାଉଥିବା ଯୋଗୁଁ ରାସ୍ତା ନଷ୍ଟ ହେଉଛି କିନ୍ତୁ ପାଇପ ପଡ଼ିନଥିବା ନେଇ ଲୋକ ପ୍ରତିନିଧି ଅଭିଯୋଗ କରିଥିଲେ। ୧୫ ଦିନ ମଧ୍ୟରେ କେଉଁ ଗ୍ରାମକୁ ମେଗା ପାନୀୟ ଜଳ ପ୍ରକଳ୍ପରେ ପାଇପ ଯାଇ ନାହିଁ ତାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ବସୁଧା ପ୍ରକଳ୍ପର ଉପଦେଷ୍ଟା ଦିନେଶ ପ୍ରଧାନ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ନଗେନ ପ୍ରଧାନ, ସରପଞ୍ଚ ଅମରେଶ ନାଥ, ମନୋଜ ସେଠୀ, ପ୍ରିୟଙ୍କା ସାହୁ, ସୌଭାଗ୍ୟ ପ୍ରଧାନ, ରାମଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଯୋଗ ଦେଇଥିଲେ।