ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ ଠାରେ ଉପ-ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ତ୍ରିପାକ୍ଷୀକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୭୯ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ହେବାର ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଭିଟା ମାଟି ହରାଇଥିବା ସଗଡିପାଳ, ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀଙ୍କୁ ନ୍ୟାୟ ମିଳିନାହିଁ। ଥଇଥାନ ନୀତି ଅନୁଯାୟୀ ୪ ଖଣ୍ଡ ଗ୍ରାମର ଲୋକଙ୍କୁ ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ଥାପିତ ପରିବାରଙ୍କୁ ବାଦ ଦିଆଯିବା ସହ ପ୍ରକଳ୍ପରେ ବିସ୍ଥାପିତ ୬୮ ଜଣ କ୍ଷତିଗ୍ରସ୍ତଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ଥଇଥାନ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବାସଚ୍ୟୁତ ଶ୍ରମିକ ସଂଘ(କ)ର ବିଭିନ୍ନ ଦାବି ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଦାବି ଗୁଡିକର ଶୀଘ୍ର ବିଚାର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ, ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥି, ସନ୍ତୋଷ ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ, ସମଲ ବ୍ୟାରେଜ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ତାଳଚେର ଉପଜିଲ୍ଲାପାଳ ଓ ବାସଚ୍ୟୁତ ଶ୍ରମିକ ସଂଘ (କ)ର ସଭାପତି ପ୍ରଫୁଲ ମିଶ୍ର ଓ କର୍ମକର୍ତ୍ତା ମାନେ ଉପସ୍ଥିତଥିଲେ।
ସମଲ ବ୍ୟାରେଜ ବାସଚ୍ୟୁତ ନିଯୁକ୍ତି ସମସ୍ୟା ନେଇ ସମୀକ୍ଷା ବୈଠକ
- Post published:July 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
