ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

You are currently viewing ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

ଅନୁଗୁଳ: ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାରେ ପରିଚିତ ଥିବା ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ଵତନ୍ତ୍ର ପରିଚୟ। ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥ‌ିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣୁଛି। ଆଉ ସଡ଼କ ଯୋଗାଯୋଗ ପାଇଁ ଏହି ସବୁ ସମ୍ଭବ ହୋଇପାରିଛି। ସାତକୋଶିଆ ଅଞ୍ଚଳଟି ଜଙ୍ଗଲ ଘେରା। ଏଠାକାର ଜମି ବହୁତ ଉର୍ବର ଓ ଚାଷ ଉପଯୋଗୀ।ତେଣୁ ଅଞ୍ଚଳର ପ୍ରାୟତଃ ଲୋକ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ମୁଖ୍ୟତଃ ସେମାନେ ଚାଷ ଉପରେ ନିର୍ଭର କରୁଥିଲେ ହେଁ ସଠିକ୍ ସଡ଼କ ସଂଯୋଗ ଏବଂ ବିପଣନ ବ୍ୟବସ୍ଥା ଅଭାବରୁ ଉତ୍ପାଦିତ ଫସଲର ଭଲ ମୂଲ୍ୟ ପାଇବାରେ ଅସମର୍ଥ ହୋଇଥାନ୍ତି। ଅଞ୍ଚଳର ଜମି ଉର୍ବର ଏବଂ ବାଲୁକା। ମିଠା ଆଳୁଚାଷ ପାଇଁ ଏହା ଉପଯୁକ୍ତ । ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଗାଁ କନ୍ଦମୂଳ ଚାଷକୁ ନିଜର ମୁଖ୍ୟ ବେଉସା ଭାବେ ଗ୍ରହଣ କରିଛନ୍ତି ।

ପୂର୍ବରୁ ଯାହା କନ୍ଦମୂଳ ଅମଳ ହେଉଥିଲା ତାହା କେବଳ ଆଞ୍ଚଳିକ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ। ୬୦ରୁ ୭୦ କିଲୋମିଟର ଯାଇ ଅଞ୍ଚଳର ଚାଷୀମାନେ ଅନୁଗୁଳର ସାପ୍ତାହିକ ହାଟରେ ବିକ୍ରି କରୁଥିଲେ । ଉତ୍ପାଦିତ କ୍ଷେତରୁ କନ୍ଦମୂଳକୁ ଭଡାଗାଡିରେ ପରିବହନ କରି ସ୍ଥାନୀୟ ବ୍ୟବସାୟୀଙ୍କୁ କିଲୋଗ୍ରାମ ପିଛା ୩ରୁ ୪ଟଙ୍କା ମୂଲ୍ୟରେ ବିକ୍ରୟ କରି ପରିଶ୍ରମ ଅନୁଯାୟୀ ଲାଭ ପାଉ ନଥିଲେ। ଏହାର ମୁଖ୍ୟ କାରଣ ଥିଲା ଗାଁରୁ ଗାଁକୁ ଓ ଗାଁରୁ ସହରକୁ ସଡ଼କ ଯୋଗାଯୋଗର ଅଭାବ । ୨୦୧୯ରେ ସାତକୋଶିଆ ଅଞ୍ଚଳର ଟାଇଁସି ଅଞ୍ଚଳରେ ସଡ଼କ ସଂଯୋଗ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ପୂର୍ତ୍ତସଚିବ ତଥା ବର୍ତ୍ତମାନ ଆଠମଲ୍ଲିକ ବିଧାୟକ  ନଳୀନକାନ୍ତ ପ୍ରଧାନଙ୍କ ମାଧ୍ୟମରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ନିର୍ଦେଶ ପରେ ରାସ୍ତା ନିର୍ମାଣ ହୋଇଥିଲା । ତାର ଫଳସ୍ୱରୂପ ଆଜି ଏଠାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଏହି ଅଞ୍ଚଳରୁ ମୁଖ୍ୟତଃ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳକୁ କନ୍ଦମୂଳ ରପ୍ତାନି ହେଉଛି। ଉତ୍ତରପ୍ରଦେଶରେ ବର୍ତ୍ତମାନ ଏହାର ମୂଲ୍ୟ କିଲୋ ପ୍ରତି ୩୦ରୁ ୪୦ ଟଙ୍କା ରହିଥିଲାବେଳେ ଚାହିଦା ମଧ୍ୟ ଭଲ ରହିଛି। ସେଠାରୁ ବ୍ୟବସାୟୀ ମାନେ ଟ୍ରକ ଧରି ଏଠାକୁ ଆସୁଛନ୍ତି। ଏଠାରେ ରହି ସମସ୍ତ ଚାଷୀ ମାନଙ୍କ ସହ ସମ୍ପର୍କ ରଖି  ଟନ ଟନ ଓଜନର କନ୍ଦମୂଳ ବ୍ୟବସାୟୀ ମାନେ ନିଜ ରାଜ୍ୟକୁ ବେପାର ଉଦ୍ଧେଶ୍ୟରେ ନେଉଛନ୍ତି।

Share

Leave a Reply