ପାଳଲହଡ଼ା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖଣ୍ଡ ପକ୍ଷରୁ ଶତାବ୍ଦୀ ବର୍ଷ ପାଳନ ଅବସରରେ ରବିବାର ଦିନ ସ୍ଥାନୀୟ ଶରତ ଚନ୍ଦ୍ର କ୍ଲବ ଠାରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ଯୁବକ ଯୋଗ ଦେଇଥିଲେ। ପାଳଲହଡ଼ା ITIର ଟ୍ରେନିଂ ଅଫିସର ପବିତ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ମୁଖ୍ୟ ବକ୍ତା ଭାବରେ ଆରଏସଏସ୍ର ସହ-ବିଭାଗ କାର୍ଯ୍ୟବାହ ଶଶୀକାନ୍ତ ଦାସ ଉପସ୍ଥିତ ସ୍ୱୟଂସେବକମାନଙ୍କୁ ଭାରତକୁ ଜାଣିବା, ଭାରତୀୟ ଆଚରଣ ଆପଣେଇବା ଏବଂ ଭାରତୀୟ ବନିବା ପାଇଁ ମାର୍ଗଦର୍ଶନ କରିଥିଲେ। ସକାଳ ୯ ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବକୃତା, ଦେଶାତ୍ମବୋଧ ସଙ୍ଗୀତ ଏବଂ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅପରାହ୍ଣ ୨ ଘଟିକାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜୟଶ୍ରୀ ସାଥୁଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଓଡ଼ିଶା ପୂର୍ବପ୍ରାନ୍ତର ସହ-ପ୍ରାନ୍ତ କାର୍ଯ୍ୟବାହ ଇଂ. ସୁଦର୍ଶନ ଦାସ ଯୋଗଦାନ କରି ଭାରତବର୍ଷର ଗୌରବ ଗାଥା ଉପରେ ଆଲୋକପାତ କରିବା ସହ ଦେଶକୁ ବିଶ୍ୱଗୁରୁ ଆଡ଼କୁ ଆଗେଇ ନେବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।
ଅନୁଗୁଳ ଜିଲ୍ଲା ଶାରୀରିକ ପ୍ରମୁଖ ସଂଜୀବ ସନ୍ତୋଷ ରାୟ, ପାଳଲହଡ଼ା ଖଣ୍ଡ ସଂଘ ଚାଳକ ସଞ୍ଜୟ କୁମାର ପ୍ରଧାନ, ଖଣ୍ଡ ଶାରୀରିକ ପ୍ରମୁଖ ମଙ୍ଗୁଳୁ ସାହୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
